ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର : ପାଣିଗଣ୍ଡାରେ ନକଲି ଡାକ୍ତର ଚଳାଉଛନ୍ତି କ୍ଲିନିକ୍

ମୋହନା, (ଅଂଶୁମାନ ପଣ୍ଡା): ସାରା ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ତାଲାବନ୍ଦକୁ ମଇ ୩ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି । ଏପରିସ୍ଥଳରେ ଗଜପତି ଜିଲ୍ଲା ମୋହନା ଅଂଚଳର ପାଣିଗଣ୍ଡାରେ କେତେକ ପ୍ରାଇଭେଟ୍ କ୍ଲିନିକ୍ ସରକାରୀ ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲଂଘନ କରିଛନ୍ତି । ମୋହନାରେ ନକଲି ଡାକ୍ତର ମେଡ଼ିକାଲ୍ ଷ୍ଟୋର୍ ନାମରେ ବିନା କାଗଜପତ୍ରରେ ଚଳାଇଥିôବା ବିଶ୍ୱାସ କ୍ଲିନିକ୍‌କୁ ପ୍ରଶାସନ ବନ୍ଦ କରିଥିବା ବେଳେ ପୁଣି ପାଣିଗଣ୍ଡା ପଂଚାୟତ ନିକଟରେ ଥିବା ଏକ ବଙ୍ଗାଳି କ୍ଲିନିକ ମଧୁମିତା ନାମକ ମେଡ଼ିକାଲ୍ ଷ୍ଟୋର ଖୋଲା ରଖି ଭିତରେ ରୋଗୀ ଦେଖିବାରେ ବ୍ୟସ୍ତ ରହୁଛନ୍ତି । ଦୁଇ ବର୍ଷ ହେଲା ବ୍ୟକ୍ତି ଜଣକ ନିଜକୁ ଡାକ୍ତର ମଞ୍ଜିତ ମଣ୍ଡଳ ବୋଲି କହି ଆସୁଥିବା ବେଳେ ଗରିବ ଆଦିବାସୀମାନଙ୍କୁ ବିଭିନ୍ନ ମାଧ୍ୟମରେ ଲୁଟିବାରେ ଲାଗିଛନ୍ତି । ଏହା ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ନଜର ପଡୁନଥିବା ବେଳେ ସେପଟେ ଏହି ନକଲି ଡାକ୍ତର ତାଙ୍କର କଳା ସମ୍ରାଜ୍ୟର କାୟା ବିସ୍ତାର କରିଚାଲିଛନ୍ତି । କଲିକତା ଅଂଚଳରୁ ଆସି ନକଲି ସାର୍ଟିଫିକେଟ ଦେଖାଇ ଡାକ୍ତରର ପରିଚୟ ଦେବା ସହ ଜିଲ୍ଲା ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ମେଡ଼ିିକାଲ ଷ୍ଟୋର୍ ନାମରେ ଲାଇସେନ୍ସ କରି କ୍ଲିନିକ୍ ଖୋଲି ଗରିବଙ୍କୁ ଲୁଟିବାରେ ଲାଗିଛନ୍ତି ଏବଂ ବିଭିନ୍ନ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଲୋକଙ୍କୁ ମଧ୍ୟ ସାହାର୍ଯ୍ୟସହଯୋଗ କରୁଛନ୍ତି । ଆଇନ ଆଖିରେ ଧୂଳି ପକାଇ ଏମାନେ ନିଜକୁ ବଡ଼ ଡାକ୍ତର ବୋଲାଉଛନ୍ତି । ଉକ୍ତ ନକଲି ଡ଼ାକ୍ତର ମଣ୍ଡଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟରୁ ଲାଇସେନ୍ସ ପାଇଛି ମୋର କେହି କିଛି କରିପାରିବେ ନାହିଁ । ପ୍ରକାଶ ଥାଉକି ସେହି ଅଂଚଳରେ ଥିବା ଗରିବ ଆଦିବାସୀମାନଙ୍କ ଉନ୍ନତି ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାକୁ ମଧ୍ୟ ଏହି ନକଲି ଡାକ୍ତର ମାନୁ ନାହାଁନ୍ତି କି ଯୋଜନାର ସେବା ପ୍ରଦାନ କରୁନାହାଁନ୍ତି । ଏହି ନକଲି ଡାକ୍ତରଙ୍କ ସିଧାସଳଖ ଶିକାର ହେଉଛନ୍ତି ଗରିବ ଆଦିବାସୀ । ଏହି ଘଟଣାକୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଗୁରୁତର ନେବା ସହ ନକଲି ଡାକ୍ତରଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ