ସରକାରୀ କର୍ମଚାରୀ ମାନଙ୍କର ଜରୁରୀ ବୈଠକ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ବିଭିନ୍ନ ସଂଗଠନର ନେତୃବୃନ୍ଦମାନଙ୍କର ଏକ ଜରୁରୀ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଧ୍ୟାନ ଆକର୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ସପ୍ତମ ବେତନ କମିଶନ ସୁପାରିଶ ଅନୁଯାୟୀ ବର୍ଦ୍ଧିତ ଦରମାର ୪୦ଭାଗ ସଂଖ୍ୟାଧିକ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ବକେୟା ୬୦ ଭାଗ ଦରମା ଏଯାବତ୍ କର୍ମଚାରୀମାନେ ପାଇନାହାଁନ୍ତି । ଇତିି ମଧ୍ୟରେ କେନ୍ଦ୍ର ସରକାର ତାଙ୍କ କର୍ମଚାରୀମାନଙ୍କୁ ବର୍ଦ୍ଧିତ ହାର ଦରମାରେ ଘରଭଡ଼ା ଭତ୍ତା ଓ ଜୁଲାଇରୁ ୫ ପ୍ରତିଶତ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରିସାରିଥିବା ବେଳେ ଆମ ରାଜ୍ୟ କର୍ମଚାରୀମାନଙ୍କୁ ଏହା ପ୍ରଦାନ କରାଯାଇ ନାହିଁ । କିଛି ନିଗମ କର୍ମଚାରୀମାନଙ୍କ କ୍ଷେତ୍ରରେ ସପ୍ତମ ବେତନ ଆଦୌ ଲାଗୁ କରାଯାଇ ନାହିଁ । ଦର ଦାମ୍ ଆକାଶଛୁଆଁ । ତେଣୁ ତୁରନ୍ତ କର୍ମଚାରୀମାନଙ୍କୁ ପୂର୍ବୋକ୍ତ ବକେୟା ପ୍ରାପ୍ୟ ପ୍ରଦାନ କରି ସେମାନଙ୍କର ଅର୍ଥନୈତିକ ଓ ସାମାଜିକ ଚଳଣୀରେ ଉନ୍ନତି ଆଣିବା ପାଇଁ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି ।


