ସାମାଜିକ, ସାଂସ୍କୃତିକ ଓ ରାଜ‌ନୈତିକ କାର୍ଯ୍ୟକ୍ରମରେ ଦାୟୀ ରହିବେ ଆୟୋଜକ : ଜିଲ୍ଲାପାଳ

ବ୍ରହ୍ମପୁର, (ରାଜେଶ ପଟ୍ଟନାୟକ ): ସାମାଜିକ, ସାଂସ୍କୃତିକ ଓ ରାଜ‌ନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୁଅନ୍ତି ତେବେ ଏଥିଲାଗି କାର୍ଯ୍ୟକ୍ରମ ଆୟୋଜକ ସମ୍ପୂର୍ଣ୍ଣ ଦାୟୀ ରହିବେ। ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ଠାରୁ ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ କାର୍ଯ୍ୟକ୍ରମ ଆୟୋଜକଙ୍କ ଠାରୁ ଆଦାୟ କରାଯିବ। ଯଦି କୌଣସି ସଂକ୍ରମିତଙ୍କ ମୃତ୍ୟୁ ଘଟେ ସେଥିପାଇଁ ଆୟୋଜକ ଦାୟୀ ରହିବେ। ଜିଲ୍ଳାରେ ସଂକ୍ରମଣ ରୋକିବା ଲାଗି ଏଭଳି କଡ଼ା ଆଭିମୁଖ୍ୟ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହି ମର୍ମରେ ଏକ ନିର୍ଦ୍ଦେଶନାମା ଜାରି କରିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ତହସିଲଦାର, ବିଡିଓ, ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ଚିଠି ଲେଖିଛନ୍ତି। କରୋନା ଚେନ୍‌ ଭାଙ୍ଗିବା ଲାଗି ସାମାଜିକ ଦୂରତ୍ୱ ଅବଲମ୍ବନ ଜରୁରୀ। ବ୍ୟାପକ ସଚେତନତା ସତ୍ତ୍ୱେ ଲୋକେ କଟକଣା ମାନୁନାହାନ୍ତି। ବଜାର ସ୍ଥାନରେ ଭିଡ଼ ଜମାଉଛନ୍ତି। ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିଷିଦ୍ଧ କରାଯିବା ସତ୍ତ୍ୱେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ‌ଦେଖିବାକୁ ମିଳୁଛି। ଜିଲ୍ଲାରେ ଚିହ୍ନଟ ହୋଇଥିବା କିଛି ପଜିଟିଭ୍‌ଙ୍କ କଣ୍ଟାକ୍ଟ ହିଷ୍ଟ୍ରିକୁ ଅନୁଧ୍ୟାନ କଲେ ସେମାନେ ଏଭଳି ଗହଳି ସ୍ଥାନରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଣୁ ଲକ୍‌ଡାଉନ୍‌ କୋହଳ ସମୟରେ ଭିଡ଼ ଉପରେ ନିୟନ୍ତ୍ରଣ ଆଣିବାକୁ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଗତକାଲି ବ୍ରହ୍ମପୁର ଓ ଗଞ୍ଜାମ ଏସ୍.ପିଙ୍କୁ ଚିଠି ଲେଖିଥିଲେ। ଏହାପରେ ଆଜି ପୁଣି ଜିଲ୍ଲା ଏଭଳି କଠୋର ଆଭିମୁଖ୍ୟ ନେଇ ତହସିଲଦାର, ବିଡିଓ ଓ ସହରାଞ୍ଚଳ ସଂସ୍ଥା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ