ସାମୂହିକ ବାତଜ୍ୱର(ଫାଇଲେରିଆ) ଔଷଧ ସେବନ କାର୍ଯ୍ୟକ୍ରମ

ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ସଭାଗୃହରେ ସାମୂହିକ ବାତଜ୍ୱର(ଫାଇଲେରିଆ) ଔଷଧ ସେବନ କାର୍ଯ୍ୟକ୍ରମ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଦୁଲାଳସେନ ଜଗଦ୍ଦେବ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ ଏଥିରେ ଯୋଗ ଦେଇ ଜିଲ୍ଲାରେ ଆସନ୍ତା ଫେବୃୟାରୀ ମାସରେ ହେବାକୁ ଯାଉଥିବା ସାମୂହିକ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଆଗାମୀ କାର୍ଯ୍ୟପନ୍ଥା ତଥା ସମସ୍ତ ସରକାରୀ ଓ ବେସରକାରୀ ବିଭାଗର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଡା. ଦେବକାନ୍ତ ମହାନ୍ତି ଏହି କାର୍ଯ୍ୟକ୍ରମକୁ କିଭଳି ସୂଚାରୁ ରୂପେ ସମ୍ପାଦନ କରାଯାଇପାରିବ, ତାହା ଉପରେ ଟିପ୍ପଣୀ ପ୍ରଦାନ କରିଥିଲେ । ଫାଇଲେରିଆ ପ୍ରବଣ ଅଂଚଳ, ଜଙ୍ଗଲ ଘେରା ଅଂଚଳ, ଇଟାଭାଟି, ମତ୍ସ୍ୟଜୀବୀ ରହୁଥିବା ଅଂଚଳ, ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟ, ବାଳାଶ୍ରମ, ନାରୀସଂଘ, ଜେଲ୍‌, ସମସ୍ତ ପୌର ପରିଷଦ ଅଂଚଳରେ ଏହି କାର୍ଯ୍ୟକ୍ରମକୁ ଅଧିକ ଧ୍ୟାନ ଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ସମୟରେ ଆଶା ଓ ଅଙ୍ଗନୱାଡି କର୍ମୀ ଘରକୁ ଘର ବୁଲି ଔଷଧ ଯୋଗାଇବେ । ଔଷଧକୁ ଲୋକମାନେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସମ୍ମୁଖରେ ସେବନ କରିବେ । ଏହି ଔଷଧ ଡି.ଇ.ସି. ଓ ଆଲବେଣ୍ଡାଜୋଲ ସମ୍ପୂର୍ଣ୍ଣ ନିରାପଦ । ଦୁଇ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ତଥା ଅତ୍ୟନ୍ତ ଅସୁସ୍ଥ ବ୍ୟକ୍ତିଙ୍କ ବ୍ୟତୀତ ସମସ୍ତେ ଏହି ବଟିକା ସେବନ କରିପାରିବେ । ଜଙ୍ଗଲ ବିଭାଗ,ଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏହି କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିବେ । ଜିଲ୍ଲା ଭେକ୍ଟର ବାହକ ରୋଗ ପରାମର୍ଶଦାତା ଶ୍ରୀଯୁକ୍ତ ଆଲୋକ କୁମାର ପତି ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ଓ ବେସରକାରୀ ବିଭାଗର ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ପି.ସି.ନନ୍ଦୀ, ଜିଲ୍ଲା ଚିିକିତ୍ସା ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଏ.କେ.ସାମଲ ତଥା ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ । ସଭା ଶେଷରେ ଡିପିଏମ ଶ୍ରୀ ଅନୀଲ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ