ସାମ୍ବାଦିକତାର ଉଜ୍ଜ୍ୱଳ ପ୍ରତିଭା ଥିଲେ ଡ. ମହତାବ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସାମ୍ବାଦିକତାକୁ ଲୋକାଭିମୁଖୀ କରିବାର ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କର ଅବଦାନ ଓ ଯୋଗଦାନ ଅଦ୍ୱିତୀୟ ଥିଲା । ପ୍ରକୃତ ଘଟଣା କ’ଣ ଜାଣିବା, ଜନସାଧାରଣଙ୍କୁ ଜଣାଇବା ଏବଂ ଏନେଇ ଜନମତକୁ ଜାଗ୍ରତ କରିବାରେ ଡ. ମହତାବ ସିଦ୍ଧହସ୍ତ ଥିଲେ ବୋଲି ତାଙ୍କର ୧୨୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ଜାତୀୟ ୱେବିନାରରେ ବିଶିଷ୍ଟ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଆ ସାମ୍ବାଦିକତାର ନବ ଦିଗନ୍ତ ଡ. ମହତାବ ଶୀର୍ଷକ ଆଲୋଚନାଚକ୍ରରେ ଉଦ୍ଘାଟନୀ ଭାଷଣ ପ୍ରଦାନ କରି ପ୍ରଖ୍ୟାତ ସାମ୍ବାଦିକ ଓ ସ୍ତମ୍ଭକାର ଅରୁଣ କୁମାର ପଣ୍ଡା, ଡ. ମହତାବଙ୍କୁ ଓଡ଼ିଆ ସାମ୍ବାଦିକ ଜଗତର ପିତାମହ ବୋଲି ବର୍ଣ୍ଣନା କରିଥିଲେ । ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ ଡ. ମହତାବ ପ୍ରଜାତନ୍ତ୍ର ଓ ତାଙ୍କର ସ୍ତମ୍ଭ ‘ଗାଁ ମଜ୍ଲିସ୍’ ଜରିଆରେ ଇନ୍ଦିରାଗାନ୍ଧିଙ୍କର କୁଶାସନ ଓ ଗଣତନ୍ତ୍ରର ପରିହାସ ବିରୁଦ୍ଧରେ ଯେଉଁ ସାଲିସ୍ ବିହୀନ ସଂଗ୍ରାମ ଜାରି ରଖିଥିଲେ ତାହା ଅଭୂତପୂର୍ବ ଥିଲା ବୋଲି ଶ୍ରୀ ପଣ୍ଡା ସୁଚାଇଥିଲେ । ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବାଉରୀବନ୍ଧୁ କର ମହତାବଙ୍କର ଉପସ୍ଥିତି ଓ ପ୍ରତିପତି ସର୍ବବ୍ୟାପୀ ଓ ସର୍ବ ସଂପନ୍ନ ଥିଲା ବୋଲି ଦର୍ଶାଇ ସେ ରାଜନୀତିକୁ ଜୀବିକା ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଡ. ମହତାବ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ର ସାମ୍ବାଦିକ, ସାହିତ୍ୟିକ, ରାଜନେତା ତଥା ସର୍ବୋପରି ମଣିଷ ଗଠନର ପାଠଶାଳା ଥିଲା ବୋଲି ଉଲ୍ଲେଖ କରିବା ସହିତ ଜନସାଧାରଣଙ୍କ ସ୍ୱାର୍ଥକୁ ସର୍ବଦା ଧ୍ୟାନ ଦେଉଥିଲେ । ଏହାଛଡ଼ା ଓଡ଼ିଶାର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ମୁମ୍ବାଇ ରାଜ୍ୟପାଳ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ତାଙ୍କର ଉଜ୍ଜ୍ୱଳ ପ୍ରତିଭା ବେଶ୍ ବାରି ହୋଇଥିଲା । ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସ୍ୱାଧୀନତା ପୂର୍ବ ଓ ସ୍ୱାଧୀନତାର ଭାରତ ବର୍ଷରେ ଜନମତକୁ ସଚେତନ ଓ ସଶକ୍ତ କରିବାରେ ଡ. ମହତାବଙ୍କର ଭୂମିକା ବଳିଷ୍ଠ ଥିଲା ବୋଲି ଦର୍ଶାଇଥିଲେ । ଡ. ଦୀପକ ସାମନ୍ତରାୟ ଡ. ମହତାବଙ୍କ ଜୀବନୀ, ଦର୍ଶନ ଓ ରଚନାବଳୀ, ଓଡ଼ିଆ ସାମ୍ବାଦିକତାର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବାକୁ ପରାମର୍ଶ ଦେଇଥିଲେ । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିଆ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ଏହି ୱେବିନାରରେ ଏହାର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡ. ଗିରିଶ ଚନ୍ଦ୍ର ସ୍ୱାଇଁ ସଭାକୁ ସୁଚାରୁ ରୂପେ ସଂଚାଳନ କରିଥିଲେ । ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ, କିଶୋର ଦ୍ୱିବେଦୀ, ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ଅମିତାଭ ଖିଲାର, ବିରୁପାକ୍ଷ ତ୍ରିପାଠୀ ଓ ଶୁଭେନ୍ଦୁ ଭୂୟାଁ ପ୍ରମୁଖ ୱେବିନାରକୁ ସଂଯୋଜନା କରିବା ସହିତ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ୱେବିନାରରେ ଦେଶ ବିଦେଶରୁ ଉପସ୍ଥିତ ଥିବା ଦର୍ଶକମାନଙ୍କ ମଧ୍ୟରେ ସାଂସଦ ଭର୍ତୃହରି ମହତାବ, ଅଷ୍ଟ୍ରେଲିଆ ଓଡ଼ିଆ ସଂଘର ସଭାପତି ଡ. ନଳିନୀ ପତି, ଦୁବାଇସ୍ଥିତ ୟୁ.ଏଇ. ଓଡ଼ିଆ ସମାଜର ସାଧାରଣ ସଂପାଦକ ପ୍ରିତିଶ ଦାସ, ଆମେରିକାରୁ ଧୀରେନ୍ଦ୍ର କର, ଦିଲ୍ଲୀରୁ ପଂଚାୟତ ବିଭାଗର ସଂଯୁକ୍ତ ସଚିବ ସଂଜୀବ ପାଟଯୋଶୀ, ମୁମ୍ବାଇରୁ ଚଳଚିତ୍ର ତାରକା ଆଶିଷ ମିଶ୍ର, ବାଙ୍ଗାଲୋରରୁ ସାହିତ୍ୟିକ ଶଶଧର ଦାସ, ନଏଡ଼ାରୁ ଶ୍ରାବଣୀ ସ୍ୱାଇଁ, କଲିକତାର ଉତ୍କଳ ଶିକ୍ଷା ସଂସଦର ଉପସଭାପତି ପିତାମ୍ବର ବାରିକ ଓ ଭୁବନେଶ୍ୱରରୁ ହୃଷିକେଶ ପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।


