ସାହାରା ଇଣ୍ଡିଆ ଜମାକାରୀ ଓ ଏଜେଣ୍ଟମାନଙ୍କର ଆସନ୍ତା ୩ ତାରିଖ ସମାବେଶ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ସାହାରା ଇଣ୍ଡିଆ ଜମାକାରୀ ଓ କାର୍ଯ୍ୟକର୍ତ୍ତା ମିଳିତ ମଞ୍ଚର ନେତୃମଣ୍ଡଳୀଙ୍କ ବୈଠକ ଶୁକ୍ରବାର ଦିନ ମଧ୍ୟାହ୍ନରେ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ମନୋରଂଜନ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ କାର୍ତ୍ତିକ ଚାନ୍ଦ ଗତ ୨୦ ତାରିଖ ଦିନ ବାଲେଶ୍ୱର ସହରରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ଉକ୍ତଦିନ ତମାମ ଲଗାତର ବର୍ଷା କାରଣରୁ ଏହି ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଆମେ ବାଧ୍ୟ ହୋଇଥିଲୁ । ପୁନଶ୍ଚ କର୍ମକର୍ତ୍ତାମାନଙ୍କ ନିଷ୍ପତ୍ତିକ୍ରମେ ଆସନ୍ତା ୩ ତାରିଖ ବୁଧବର ଦିନ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେବ । ଏପ୍ରିଲ୍ ୩ ତାରିଖ ଦିନ ୧୦ଟାରେ ବାଲେଶ୍ୱର ରେଳଷ୍ଟେସନରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ପହଞ୍ôଚବ । ସେଠାରେ ବିକ୍ଷୋଭ ସମାବେଶ ଓ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ । ସଂପାଦକ ଶ୍ରୀ ଚାନ୍ଦଙ୍କ ପ୍ରସ୍ତାବକୁ ଉପସ୍ଥିତକ ସଦସ୍ୟମାନେ ସ୍ୱାଗତ ଜଣାଇଥିଲେ । ସମଗ୍ର ଜିଲ୍ଲାର ଜମାକାରୀ ଏହି ଆନ୍ଦୋଳନରେ ଯୋଗଦେବାକୁ ନିବେଦନ କରିଥିଲେ ।ଆଲୋଚନାରେ ଅଂଶଗ୍ରହଣ କରି ସିଭିଲ୍ ସୋସାଇଟିର ଉପଦେଷ୍ଟା ତଥା ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ନିରୀହ ଜମାକାରୀ ଓ ଏଜେଣ୍ଟମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ‘ସେବି’ ଓ ସାହାରା କଂପାନୀ ମାଲିକଙ୍କ ବିବାଦରୁ ଏକ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାର କହିଥିଲେ । ଜମାକାରୀଙ୍କ ଅର୍ଥ ସୁରକ୍ଷିତ ଥିବାବେଳେ କେବଳ ଏହି ବିବାଦ ଓ ମାଲିମୋକଦ୍ଦମା କାରଣରୁ ଜମାକାରୀମାନେ ସେମାନଙ୍କର କଷ୍ଟାର୍ଜିତ ଅର୍ଥ ଫେରିପାଉନାହାନ୍ତି । ତେଣୁ କେନ୍ଦ୍ର ସରକାର ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେବାକୁ ଶ୍ରୀ ପାଣିଗ୍ରାହୀ ନିବେଦନ କରିଥିଲେ । ଆସନ୍ତା ଆନ୍ଦୋଳନରେ ସିଭିଲ୍ ସୋସାଇଟି ସହଯୋଗ କରିବ ବୋଲି ବହୁ ପୂର୍ବରୁ ନିଷ୍ପତ୍ତି ନେଇଛି । ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ବେହେରା, ସୁରଜ ପ୍ରକାଶ ପଣ୍ଡା, ଭାସ୍କର ମଲ୍ଲିକ, ଅନନ୍ତ ଶତପଥୀ, ନିରଞ୍ଜନ ଶତପଥୀ, ଶରତଚନ୍ଦ୍ର ଦଳାଇ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜମାକାରୀ ମନ୍ମଥ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


