ସୁଧ ଉପରେ ସୁଧ ଛାଡ଼

ଭୁବନେଶ୍ୱର,(ୱାଇଏନ୍ଏସ୍): ସୁପ୍ରିମ କୋର୍ଟଙ୍କ ଛାଟ ପରେ ମୋରାଟୋରିୟମ ଅବଧିରେ ସୁଧ ଉପରେ ଆଦାୟ କରାଯାଇଥିବା ସୁଧକୁ ଋଣଗ୍ରହୀତାଙ୍କ ଖାତାକୁ ପଠାଇବା ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛି। ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୬ ମାସ ପାଇଁ ମୋରାଟୋରିୟମ ଘୋଷଣା କରାଯାଇଥିଲା। ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏହି ଋଣର ସୁଧ ଉପରେ ସୁଧ ଆଦାୟ କରାଯିବ ନାହିଁ ବୋଲି ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଥିଲେ। ଗୃହ, ଶିକ୍ଷା, ଅଟୋମୋବାଇଲ, କଞ୍ଜ୍ୟୁମର ଡ୍ୟୁରେବଲ୍‌, ଏମ୍‌ଏସ୍‌ଏମ୍‌ଇ ସମେତ କ୍ରେଡିଟ୍‌ କାର୍ଡ ଦେୟ ବାବଦ ରାଶି ଏହି ସୁଧ ଉପରେ ସୁଧ ଛାଡ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି | କରୋନା ମହାମାରୀ ପାଇଁ ୬ ମାସ (ମାର୍ଚ୍ଚ ୧, ୨୦୨୦ରୁ ଅଗଷ୍ଟ ୩୧, ୨୦୨୦) ପର୍ଯ୍ୟନ୍ତ ଏହି ସୁବିଧା ଦେବା ପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ନିର୍ଦ୍ଦେଶନାମା ଜାରି ହୋଇଛି। ସୁପ୍ରିମ କୋର୍ଟରେ ସରକାର ଦେଇଥିବା ସତ୍ୟପାଠ ମୁତାବକ ଏହି ‌ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଦୀପାବଳି ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଯୋଗ୍ୟ ଋଣଗ୍ରହୀତାଙ୍କୁ ଏହି ସୁବିଧା ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ପ୍ରଦାନ କରିବେ। ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକୁ ପରେ ଏ ବାବଦ ଅର୍ଥ ପ୍ରଦାନ କରାଯିବ। ଯେଉଁମାନେ ମୋ‌ରାଟୋରିୟମର ସୁବିଧା ନେ‌ଇ ନଥିଲେ ସେମାନେ ମଧ୍ୟ ଏହାର ଲାଭ ପାଇପାରିବେ। ଋଣଗ୍ରହୀତା ଯେଉଁମାନଙ୍କ ଋଣ ଖାତାରେ ଋଣ ମଞ୍ଜୁର ଏବଂ ବକେୟା ଆଦାୟ ରାଶିର ସୀମା ୨୯/୦୨/୨୦୨୦ ସୁଦ୍ଧା ୨ କୋଟିରୁ ଅଧିକ ନଥିବ ସେମାନେ ଏହି ଯୋଜନାର ଲାଭ ପାଇପାରିବେ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଏହି ସୁବିଧା ପାଇବାକୁ ହେଲେ ଋଣଗ୍ରହୀତାଙ୍କ ଖାତା ମଧ୍ୟ ୨୦୨୦ ଫେବ୍ରୁଆରି ୨୯ ତାରିଖ ସୁଦ୍ଧା ଏନପିଏରେ ପରିଣତ ହୋଇ ନଥିବ। ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଏ ବାବଦ ଅର୍ଥ ପ୍ରଦାନ କରିବା ପରେ ସରକାରଙ୍କ ନିକଟରେ ଏଥିପାଇଁ ଦାବି କରିବେ। ଏ ବାବଦରେ ସରକାରଙ୍କୁ ୬୫୦୦ କୋଟି ଟଙ୍କାର ବୋଝ ବହନ କରିବାକୁ ପଡ଼ିବ ବୋଲି ଆକଳନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ