ସୋର ସରକାରୀ ଡାକ୍ତରଖାନା ଅବ୍ୟବସ୍ଥା ନେଇ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା

ବାଲେଶ୍ୱର, (ସରୋଜ ପଣ୍ଡା ): ସୋର ନାଗରିକ ମଞ୍ଚ ଓ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦେବଙ୍କୁ ସାକ୍ଷାତ ସହ ସୋର ସରକାରୀ ଡାକ୍ତରଖାନର ଅବ୍ୟବସ୍ଥା ସଂପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ଜିଲା ପ୍ରକଳ୍ପ ମ୍ୟାନେଜର ଅନୀଲ କୁମାର ମହାନ୍ତି ଉପସ୍ଥିତ ଥିଲେ । ବିଶେଷ କରି ଡାକ୍ତରଖାନାର କ୍ୟାବିନଗୁଡ଼ିକ ରୋଗୀସେବାରେ ବ୍ୟବହାର କରା ନ ଯିବା, ମହିଳା ୱାର୍ଡ଼ରେ ପୁରୁଷରୋଗୀଙ୍କୁ ନ ରଖିବା, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା ଔଷଧ ନଦେଇ ବାହାରୁ ଔଷଧ କିଣିବାକୁ ପ୍ରବର୍ତ୍ତାଇବା, ଡାକ୍ତରମାନେ ଡ୍ୟୁଟି ସମୟରେ ଘରୋଇ ଚିକିତ୍ସା ନକରିବା, ଡାକ୍ତରଖାନାକୁ ପ୍ରାୟ ଦୁଇଲକ୍ଷ ଟଙ୍କା ଅନୁଦାନରେ ଦିଆଯାଇଥିବା ଶଯ୍ୟାଗୁଡ଼ିକୁ ବାହାରେ ପକାଇ ନଷ୍ଟ ନ କରିବା ସହିତ ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ, ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ଓ ସୁରକ୍ଷାକର୍ମୀ ନିଯୁକ୍ତି ଦେବା ପ୍ରଭୃତି ଦାବି ସମ୍ପର୍କରେ ପ୍ରତିନିଧିମାନେ ଡାକ୍ତର ଜଗଦ୍ଦେବଙ୍କ ସହ ଆଲୋଚନା କରିଥିଲେ । ସାତଦଫା ଦାବି ଉପରେ ପ୍ରତିନିଧିମାନେ ଦୀର୍ଘସମୟ ଆଲୋଚନା କରିଥିଲେ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହିସବୁ ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗଦେବ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପ୍ରତିନିଧି ମଣ୍ଡଳୀର ବରିଷ୍ଠ ସଦସ୍ୟ ନବକିଶୋର ଦାସ କହିଛନ୍ତି । ଆଲୋଚନା ବେଳେ ଏହି ପ୍ରତିନିଧି ମଣ୍ଡଳୀରେ ସୋର ନାଗରିକ ମଞ୍ଚର ସମ୍ପାଦକ ଡା. ନରହରି ନାୟକ, କ୍ରିୟାନୁଷ୍ଠାନ କମିଟିର ସଂପାଦକ ମାୟାଧର ନାୟକଙ୍କ ସମେତ ଦାମୋଦର ଦାସମହାପାତ୍ର, ଉଦ୍ଧବ ଚରଣ ବିଶ୍ୱାଳ, କମଳାକାନ୍ତ ତିହାଡ଼ି ଓ ମେଡିକାଲ କଲେଜ ଜିଲା କ୍ରିୟାନୁଷ୍ଠାନ କମିଟିର ସଭାନେତ୍ରୀ ମମତା ମହାପାତ୍ର ଏବଂ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ