‘ଟାଟା ପାୱାର’କର୍ମଚାରୀ ମାରଣ ନୀତିକୁ ନେଇ ଉଦବେଗ : ୬ରେ ବିଦ୍ୟୁତ କର୍ମଚାରୀ ମହାସଂଘର ପ୍ରତିବାଦ
ବାଲେଶ୍ୱର, (ସରୋଜ ପଣ୍ଡା ): ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେବାକୁ ୪ ମାସ ନପୂରୁଣୁ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ)ର ଶ୍ରମିକ କର୍ମଚାରୀ ମାରଣ ନୀତି କ୍ରମଶଃ ଅସହ୍ୟ ହୋଇଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ‘ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ତଥା ଅନୁବନ୍ଧିତ ବିଜୁ ଶ୍ରମିକ ସାମ୍ମୁଖ୍ୟ’ । ଟାଟା ପାୱାର କର୍ତ୍ତୃପକ୍ଷଙ୍କ ଅତ୍ୟନ୍ତ ଲାଭଖୁର ମନୋଭାବ ଯୋଗୁଁ କାର୍ଯ୍ୟରତ କର୍ମଚାରୀଙ୍କ ଜୀବନ ଜୀବିକା ଅସୁରକ୍ଷିତ ହୋଇ ପଡ଼ିଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର କର୍ମକର୍ତ୍ତାମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ବାଲେଶ୍ୱର ସହରର କାଳୀମନ୍ଦିର ନିକଟସ୍ଥ ମହାସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଆଞ୍ଚଳିକ ସମ୍ପାଦକ ହରିଶ୍ଚଚନ୍ଦ୍ର ଦାସ, ସହକାରୀ ଆଞ୍ଚଳିକ ସମ୍ପାଦକ ପ୍ରଦୀପ କୁମାର ଦାସ, ସଙ୍ଗଠନ ସମ୍ପାଦକ ବଟକୃଷ୍ଣ ଜେନା, ବାଲେଶ୍ୱର ଖଣ୍ଡ ସମ୍ପାଦକ ଗୋପାଳ ମାଲାକାର, ଅଫିସ ସମ୍ପାଦକ ସୋମଳିତ ମହାନ୍ତି, ତନ୍ମୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଦୀର୍ଘ ଦିନଧରି କାର୍ଯ୍ୟ କରି ଆସୁଥିବା ଅସ୍ଥାୟୀ କର୍ମଚାରୀଙ୍କ ପ୍ରତି ଟାଟା ପାୱାର କର୍ତ୍ତୃପକ୍ଷଙ୍କ ଉଦାସୀନତା ସମ୍ପର୍କରେ ସୂଚନା ଦେଇଥିଲେ । ୧୫ବର୍ଷରୁ ଅଧିକ କାଳ ଧରି କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପରିବର୍ତ୍ତେ କର୍ତ୍ତୃପକ୍ଷ ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ନେଇଥିବା ଠିକାସଂସ୍ଥା ଅଧୀନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବା କେତେ ଯୁକ୍ତିସଙ୍ଗତ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏହା ଦ୍ୱାରା ସମ୍ପୃକ୍ତ କର୍ମଚାରୀଙ୍କ ବରିଷ୍ଠତା ହ୍ରାସ ପାଇବା ସହ ସେମାନେ ଶ୍ରମ ଆଇନ ଭିତ୍ତିକ ସମସ୍ତ ସବିଧାରୁ ବଞ୍ଚିିତ ହେବା ନେଇ ଆଶଙ୍କା ଦେଖାଦେଇଛି । ସରକାରୀ ନିୟମକୁ ଉଲଂଘନ କରି କମ୍ପାନି କର୍ତ୍ତୃପକ୍ଷ ଅସ୍ଥାୟୀ କର୍ମଚାରୀଙ୍କୁ ଗୋଟିଏ ପରେ ଗୋଟିଏ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରାଇ ସେମାନଙ୍କୁ କ୍ରୀତଦାସ ସଜାଇ ଦେଇଥିବା ସଂଗଠନର କର୍ମକର୍ତ୍ତମାନେ ଆରୋପ କରିଛନ୍ତି । କର୍ତ୍ତୃପକ୍ଷ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଓ ନୂତନ ପଦ ପଦବୀରେ ଅଧିକାରୀ ଏବଂ କର୍ମଚାରୀ ନିଯୁକ୍ତି କରି ଚାଲିଥିବା ବେଳେ ୧୫ ବର୍ଷ ଧରି କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଦିଗରେ ଟିକିଏ ହେଲେ ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି । ଟାଟା ପାୱାରର ଏହି ନୀତିକୁ ବିରୋଧ କରି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଓ ଏହା ସହ ଅନୁବନ୍ଧିତ ବିଜୁ ଶ୍ରମିକ ସାମ୍ମୁଖ୍ୟ ଆସନ୍ତା ୬ ତାରିଖ ସୋମବାର ରେମୁଣା ଗୋଲେଇ ସ୍ଥିତ ଟାଟା ପାୱାର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ କରିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।


