ସ୍ନାତକ ଡିଗ୍ରୀ ପାଇଁ ଲଗାଇବାକୁ ପଡ଼େ ୧୦ ଗଛ
ଭୂପୃଷ୍ଠରେ ଦିନକୁ ଦିନ ଗଛ ସଂଖ୍ୟା କମିବାରେ ଲାଗିଛି । ମନୁଷ୍ୟକୃତ କାରଣ ସହ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଏହାର କାରଣ ସାଜିଛି । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଅବଲମ୍ବନ କରାଯାଉଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏପରି ଦେଶ ରହିଛି ଯେଉଁଠି ସରକାରଙ୍କ ପକ୍ଷରୁ ଗଛ ଲଗାଇବା ଲାଗି ବିଚିତ୍ର ନିୟମ କରାଯାଇଛି । ଉକ୍ତ ଦେଶର ଛାତ୍ରୀଛାତ୍ରଙ୍କୁ ୧୦ଟି ଗଛ ଲଗାଇବା ନିୟମ ରହିଛି । ଏହା କରିବା ଫଳରେ ସେମାନଙ୍କୁ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ମିଳିଥାଏ ।ଫିଲିପାଇନ୍ସ ସରକାରଙ୍କ ପକ୍ଷରୁ ଏଭଳି ନିୟମ କରାଯାଇଛି । ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ସ୍ୱରୂପ ଏହାକୁ କଡ଼ାକଡ଼ି ପାଳନ କରାଯାଉଛିି । ଏପରି କରିବା ଦ୍ୱାରା ଦେଶରେ ଗୋଟିଏ ବର୍ଷରେ ୧୭୫ ମିଲିୟନ ଅଧିକ ଗଛ ଲଗାଯାଇପାରୁଛି । ଏହାର ଯତ୍ନ ନିଆଯାଇ ତାହାକୁ ବିକଶିତ କରାଯାଇପାରୁଛି । ତେବେ ସ୍ନାତକ ଡିଗ୍ରୀ ପାଇବାକୁ ହେଲେ ଛାତ୍ରଙ୍କୁ ଏହି ନିୟମ ମାନିବାକୁ ପଡୁଛି । ଏହାକୁ ଗ୍ରାଜୁଏଶନ ଲେଗ୍ସି ଏନ୍ଭେରନମେଣ୍ଟ ଆକ୍ଟ କୁହାଯାଉଛି । ଯାହାକୁ ଫିଲିପାଇନ୍ସ ସଂସଦରେ ସର୍ବ ସମ୍ମତିକ୍ରମେ ପାରିତ କରାଯାଇଛି । ଆଗାମୀ ଦିନରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ କଲେଜ ଛାତ୍ରଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ । ଗଛ ଲଗାଯିବା ଲାଗି ସରକାର ଜାଗା ଚୟନ କରିସାରିଛନ୍ତି ।


