ସ୍ୱାମୀ ଅଗ୍ନିବେଶଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତା, ଆର୍ଯ୍ୟସମାଜ ଆନ୍ଦୋଳନର ମୁଖ୍ୟ ପୃଷ୍ଠପୋଷକ, ସଂସ୍କାରବାଦୀ ସନ୍ନ୍ୟାସୀ ସ୍ୱାମୀ ଅଗ୍ନିବେଶଙ୍କ ଉଦ୍ଦେଶ୍ୟରେ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜୁମ୍ ଭିଡ଼ିଓ ଯୋଗେ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ବେଦମନ୍ତ୍ର ପାଠ କରିବା ପରେ ଶ୍ରଦ୍ଧାଞ୍ଜଳି ଜଣାଇ ଦିବ୍ୟଜୀବନ ସଂଘର ସନ୍ନ୍ୟାସୀ ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ କହିଲେ ଯେ, ମହର୍ଷି ଦୟାନନ୍ଦଙ୍କର ସଚ୍ଚା ଶିଷ୍ୟ ଥିଲେ ସ୍ୱାମୀ ଅଗ୍ନିବେଶ, ତାଙ୍କର ସଂଗ୍ରାମ ଥିଲା ସାଲିସ ବିହୀନ । ସେ ପ୍ରକୃତରେ ଥିଲେ ସାମାଜିକ କ୍ରାନ୍ତିର ଜଣେ ବାର୍ତ୍ତାବହ ।
ବିଶିଷ୍ଟ ଶିକ୍ଷାବିତ୍ ଡଃ ପ୍ରଫେସର ହରେକୃଷ୍ଣ ଶତପଥି କହିଲେ ଯେ, ସ୍ୱାମିଜୀ ଅଗ୍ନିବେଶ ନାମକୁ ସାର୍ଥକ କରିଥିଲେ । ତାଙ୍କର ବକ୍ତବ୍ୟରେ ଅଗ୍ନିସ୍ଫୁଲିଙ୍ଗ ସୃଷ୍ଟି କରୁଥିଲା । ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସେ ଥିଲେ ଗୋତିଶ୍ରମିକମାନଙ୍କର ତ୍ରାଣକର୍ତ୍ତା । ସମାଜବାଦୀ ପାର୍ଟିର ସଭାପତି ରବି ବେହେରା କହିଲେ ଯେ, ଆମେ ଗର୍ବିତ ଯେ, ସେ ଓଡ଼ିଶାରେ ଜନ୍ମ ହୋଇଥିଲେ ।
ବରିଷ୍ଠ କଂଗ୍ରେସ ନେତା ଅଧ୍ୟାପକ କୈଳାସ ଆଚାର୍ଯ୍ୟ କହିଲେ ଯେ, ସ୍ୱାମିଜୀ ମରିନାହାଁନ୍ତି, ସ୍ୱାମିଜୀଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ଦଳର ଗୁଣ୍ଡାମାନେ ମାରିଦେଲେ । ଘାତକମାନେ ସରକାରୀ ପୃଷ୍ଠପୋଷକତାରେ ଏବେବି ବୁଲୁଛନ୍ତି । ଡ଼ି.ଏ.ଭି.ର ବରିଷ୍ଠ କାର୍ଯ୍ୟକର୍ତ୍ତା ଡଃ ହିମାଂଶୁ ମହାନ୍ତି କହିଲେ ଯେ, ଓଡ଼ିଶାର ପ୍ରତ୍ୟେକଟି ସମସ୍ୟା ସହିତ ନିଜକୁ ସାମିଲ୍ କରିଥିଲେ । ସେ ପୋସ୍କୋ ହେଉ ବା ମହାନଦୀ ବଞ୍ଚାଓ ହେଉ । ମା’ଘରର ପ୍ରତିଷ୍ଠାତ୍ରୀ ସଭାନେତ୍ରୀ ଋତୁପର୍ଣ୍ଣା ମହାନ୍ତି ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସମାଜର ପଛୁଆବର୍ଗ, ବିଶେଷଭାବେ ଶୋଷିତଶ୍ରେଣୀ, ମହିଳାମାନଙ୍କୁ ସମାଜର ଆଗଧାଡ଼ିକୁ ଆଣିବାକୁ ତାଙ୍କର ସଂଗ୍ରାମ ଥିଲା ସାଲିସ ବିହୀନ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି, ମହାବୋଧି ସମିତିର ଟ୍ରଷ୍ଟି ଡଃ ସୌରେନ୍ଦ୍ର ମହାପାତ୍ର, ମହର୍ଷି ଦୟାନନ୍ଦ ମିଶନ ଅଧ୍ୟକ୍ଷ ଡଃ ବିକାଶ ପଣ୍ଡା, ଇଂ ଗୋପିନାଥ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କାର୍ଯ୍ୟକ୍ରମକୁ ଡଃ ବଦ୍ରୀନାଥ ପଟ୍ଟନାୟକ ପରିଚାଳନା କରିଥିଲେ । ଶେଷରେ ଯୁବ ଆର୍ଯ୍ୟସମାଜ, ଓଡ଼ିଶାର ଅଧ୍ୟକ୍ଷ ପ୍ରବୀର ଆର୍ଯ୍ୟ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ