ସ୍ୱାସ୍ଥ୍ୟ ଟିମ୍ ଘର ଘର ବୁଲି ଲକ୍ଷଣ ଅନୁଧ୍ୟାନ ଓ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି ।ଏମାନେ ସମଗ୍ର ଜିଲ୍ଲାରେ ଘରକୁ ଘର ବୁଲି କରୋନା ଲକ୍ଷଣ ଅନୁଧ୍ୟାନ କରିବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ତଥ୍ୟ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଛି । ଏହି ପରି ଭାବେ ୪୦ଗୋଟି ଟିମ୍ ଗଠନ ହୋଇଛି । ସହର ଠାରୁ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ଗୁଡିକୁ ଯାଇ ଏହି ଟିମ୍ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି । ମୁଖ୍ୟତଃ ଥଣ୍ଡା, କାଶ, ଜ୍ୱର, ଛିଙ୍କ ଏବଂ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଭୋଗୁଥିବା ବ୍ୟକ୍ତି ବିଶେଷ ମାନଙ୍କ ତଥ୍ୟ ଏହି ଟିମ୍ ସଂଗ୍ରହ କରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପାଇଁ କାର୍ଯ୍ୟ କରୁଛନ୍ତି । ପାରଳାଖେମୁଣ୍ଡି ପୌରପରିଷଦରେ ସ୍ୱାସ୍ଥ୍ୟ ଟିମ୍‌, ଅଙ୍ଗନବାଡିକର୍ମୀ ପ୍ରମୁଖ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା ଦେଖାଯାଇଛି । ସେହିପରି ପ୍ରତ୍ୟେକ ବ୍ଲକରେ ଏହି ଟିମ୍ ଗୁଡିକ ତଥ୍ୟ ସଂଗ୍ରହ କରୁଛନ୍ତି । ଗଜପତି ଜିଲ୍ଲାର କାଶୀନଗର ବ୍ଲକର ରାଣୀପେଣ୍ଠ, ସିଧାମଡଣଙ୍ଗ, ହାଡୁଭାଙ୍ଗି, ପାର୍ତ୍ତଡା, ମିନିଗାଁ, କେ.ସୀତାପୁର, ଅଲଡା ଆଦି ଗ୍ରାମାଞ୍ଚଳର ରାସ୍ତା କଡରୁ ଆରମ୍ଭ କରି ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମ ଗୁଡିକୁ ସ୍ୱତନ୍ତ୍ର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ପାଦଚଲାରେ ଗ୍ରସ୍ତ କରି ସମସ୍ତ ଅନୁଧ୍ୟାନ ଓ ତଦାରଖ କରୁଛନ୍ତି । ଏହି ଟିମ୍‌ର ମୁଖ୍ୟ ଡଃ. ଜି. ବେଦବିକାଶ ଓ ନିବେଦିତା ଦୋରା ଏବଂ ସ୍ୱାସ୍ଥ୍ୟ କର୍ମୀ ପଦ୍ମିନୀ ପାଢୀ, ଫାର୍ମାସିଷ୍ଟ ନିରୁପମା ସୋଇ ଏହି ଅନୁଧ୍ୟାନ ଓ ତଦାରଖ ବେଳେ କହିଛନ୍ତି, ପ୍ରଶାସନର ଆଦେଶରେ ଆଜିକୁ ୨ଦିନ ହେଲା ଘରକୁ ଘର ବୁଲି ସମସ୍ତ ତଥ୍ୟ ସଂଗ୍ରହ କରୁଛୁ । ପ୍ରାୟତଃ ସବୁଠାରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ସଠିକ୍ ରହିଛି । ପ୍ରତ୍ୟେକ ଦିନ ସଂଧ୍ୟାରେ ସମସ୍ତ ତଥ୍ୟକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ