ହଜାର ହଜାର ହେକ୍ଟର ଜମିରେ ଧାନ ଓ ପନିପରିବା ଚାଷ ନଷ୍ଟ
ନିମାପଡ଼ା, (ସନ୍ତୋଷ ଦାଶ):ଧନୁଆଁ ନଦୀ ବନ୍ୟା ରେ ନିମାପଡା ବ୍ଲକର ଧନୁଆଁ, ଶଗଡ଼ା, ଅଲଣ୍ଡା, ରେଞ୍ଚ, ଧଳେଶ୍ୱର, ଅନ୍ତୁଆର, ସଲଙ୍ଗ, ବାମନାଳ, ନୂଆସନ୍ଥ, କୋଠକୁସାଙ୍ଗ, ସାଇଁଶ ଶାସନ, ବଡ଼ମାଛପୁର ପ୍ରଭୃତି ୧୨ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୁଶଭଦ୍ରା ନଦୀ ବନ୍ୟା ରେ ଗୋପ ବ୍ଲକ ର ବେଦପୁର, ଡଭାର, ରାହାଁଗୋରଡା, ଗଣେଶ୍ୱରପୁର, ଅଣ୍ଡିରାଇଚ୍ଛାପୁର, ନାଗପୁର, ମଲାଗାଁ ପ୍ରଭୃତି ୭ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। ଉକ୍ତ ଅଞ୍ଚଳ ର ହଜାର ହଜାର ହେକ୍ଟର ଚାଷ ଜମି ରେ ବନ୍ୟା ପାଣି ୩/୪ଦିନ ହେବ ପ୍ରବାହିତ ହେଉଥିବାବେଳେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ବନ୍ୟା ପାଣି ଛାଡ଼ିବ ନାହିଁ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି। ଚାଷୀ ମାନେ କରିଥିବା ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି। ଚାଷୀ ମାନେ ବିଭିନ୍ନ ବ୍ୟାଙ୍କ ଓ ସମବାୟ ସମିତି ରୁ ଋଣ କରି ଚାଷ କରିଥିବାରୁ ଏବେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ଏଣୁ ସରକାର ତୁରନ୍ତ ନିମାପଡା ଓ ଗୋପ ବ୍ଲକ ର ଚାଷୀ ମାନଙ୍କ ଋଣ ଛାଡ କରିବା ସହିତ ମାଗଣା ରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ପନିପରିବା ମଞ୍ଜି ଯୋଗାଇ ଦେବାକୁ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଦାବି କରିଛନ୍ତି।


