ହିଞ୍ଜିଳିକାଟୁରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ସହରବାସୀଙ୍କ ସ୍ୱପ୍ନ;ଶିଳାନ୍ୟାସର ଅଢେଇ ବର୍ଷ ପରେ ବି କାମ ଆରମ୍ଭ ହୋଇପାରିଲାନି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରାଂଚଳ ହିଞ୍ଜିଳିକାଟୁ ସର୍ବଦା ଚର୍ଚ୍ଚାରେ ରହିଛି । ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ଏବଂ ପୌରାଂଚଳର ସୌନ୍ଦର୍ଯ୍ୟକରଣ ସକାଶେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ନିଜ ହାତପାଣ୍ଠିରୁ ବହୁ ଅର୍ଥ ରାଶି ପ୍ରଦାନ କରିଚାଲିଛନ୍ତି । ପରିତାପର ବିଷୟ ହିଞ୍ଜିଳିକାଟୁ ପୌରାଂଚଳରେ ଏକ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ପାଇଁ ଦୀର୍ଘ ଅଢେଇ ବର୍ଷ ପୂର୍ବେ ସ୍ୱୟଂ ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିଥିବା ବେଳେ କାମ ଆରମ୍ଭ ହେବା ତ ଦୂରର କଥା ସଂପୃକ୍ତ ସ୍ଥାନରେ ଆଞ୍ଜୁଳାଏ ମାଟି ବି ପଡ଼ିପାରିଲା ନାହିଁ । ସତରେ କଣ ହିଞ୍ଜିଳିକାଟୁରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ସହରବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଯିବ କି ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
ଗତ ୧୮.୧୧.୨୦୧୭ ତାରିଖରେ ହିଞ୍ଜିଳିକାଟୁ ବିଜ୍ଞାପିତ ଅଂଚଳ ପରିଷଦକୁ ପୌରାଂଚଳର ମାନ୍ୟତା ମିଳିଥିଲା । ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ହିଞ୍ଜିଳିକାଟୁ ସହର ପରିଗଣିତ । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟସ୍ଥ ୪୦ ରୁ ଉର୍ଦ୍ଧ୍ୱ ଗ୍ରାମର ସହସ୍ରାଧିକ ବ୍ୟବସାୟୀ ବାଣିଜ୍ୟ କାରବାର ସକାଶେ ପ୍ରତ୍ୟେହ ହିଞ୍ଜିଳିକାଟୁ ସହର ଉପରେ ନିର୍ଭର କରି ଚଳିଥାନ୍ତି । ହିଞ୍ଜିଳିକାଟୁ ପୌରାଂଚଳରେ ବ୍ୟବସାୟ କରିବା ସକାଶେ ମାର୍କେଟ କମ୍ପେ୍ଳକ୍ସ ନଥିବା ଯୋଗୁଁ ପ୍ରତ୍ୟେହ ବହୁ ବ୍ୟବସାୟୀ ବିଚ୍ ରାସ୍ତା ଉପରେ ବେପାର ବଣିଜ କରି ଆସୁଛନ୍ତି । ହିଞ୍ଜିଳିକାଟୁ ପୌରାଂଚଳ ମଧ୍ୟଦେଇ ୫୯ ନଂ ଜାତୀୟ ରାଜପଥ ଯାଇଛି । ବିଚ୍ ରାସ୍ତା ଉପରେ ବ୍ୟବସାୟୀ ମାନେ ନିଜ ନିଜର ବେପାର ବଣିଜ କରି ଆସୁଥିବାରୁ ଜାତୀୟ ରାପଥଟି ସଂକୀର୍ଣ୍ଣ ହୋଇ ପଡ଼ିବା ସହ ପ୍ରତ୍ୟେକ ଦିନ ବହୁ ଛୋଟ ବଡ଼ ଦୂର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ହିଞ୍ଜିଳିକାଟୁ ପୌରାଂଚଳରେ ଏଯାବତ୍ ମାର୍କେଟ କମ୍ପେ୍ଳକ୍ସର ଅଭାବ ଯୋଗୁଁ ମୁଖ୍ୟ ରାସ୍ତା ବଜାରରେ ପରିଣତ ହେବାରେ ଲାଗିଛି । ପ୍ରତିଦିନ ସଂଖ୍ୟାଧିକ ବ୍ୟବସାୟୀ ରାସ୍ତା ପ୍ୱାଶ୍ୱର୍କୁ ନିଜ ଅକ୍ତିଆରରେ ରଖି ନିଜ ନିଜର ବ୍ୟବସାୟ କରି ଆସୁଥିବା ବେଳେ ରାସ୍ତା ସଂକୀର୍ଣ୍ଣ ହେବା ସହ ସ୍ଥାନୀୟ ସହରରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଏପରିକି ସ୍ଥାନୀୟ ପରିବା ବଜାର ଦେଇ ସହସ୍ରାଧିକ ଶିକ୍ଷାର୍ଥୀ ପ୍ରତ୍ୟେହ ଶିକ୍ଷା ଅଧ୍ୟୟନ ସକାଶେ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟକୁ ଯାତାୟତ କଲାବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି ।ଏପରିକି ବହୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଉଥିବା ବେଳେ ଗୁରୁତର ରୋଗୀଙ୍କୁ ନେଇ ୧୦୮ ଓ ୧୦୨ ଆମ୍ବୁଲାନ୍ସ ଗୁଡ଼ିକ ଡ଼ାକ୍ତରଖାନାକୁ ଯାତାୟତ କଲାବେଳେ ଆମ୍ବୁଲାନ୍ସ ଗୁଡ଼ିକ କିଛି ସମୟ ସକାଶେ ସ୍ଥାନୀୟ ବଜାରରେ ଗୁରୁତର ଟ୍ରାଫିକ ସମସ୍ୟା ଯୋଗୁଁ କିଛି ସମୟ ପାଇଁ ଅଟକି ରହୁଥିବାର ଦେଖିବାକୁ ମିଳୁଛି । ବହୁବାର ଦାବୀ ପରେ ଗତ ୪ ଏପ୍ରିଲ ୨୦୧୮ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୫ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟରେ ହିଞ୍ଜିଳିକାଟୁ ସହରରେ ଏକ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଭିତିପ୍ରସ୍ତର ସ୍ଥାପନର ଦୀର୍ଘ ଅଢେଇ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ କାର୍ଯ୍ୟାରମ୍ଭ ତ ଦୂରର କଥା ସଂପୃକ୍ତ ସ୍ଥାନରେ ଆଂଜୁଳାଏ ମାଟି ବି ପଡ଼ି ପାରିନାହିଁ । ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ପାଇଁ ଟେଣ୍ଡର ପ୍ରକିୟା ଶେଷ ହୋଇଥିଲେ ମଧ୍ୟ ଗତ ୨୦୧୮ ଅଗଷ୍ଟ ମାସରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ କାର୍ଯ୍ୟାରମ୍ଭ କରିବା ପାଇଁ ଚୁକ୍ତିନାମା କରାଯାଇଥିବା ବେଳେ ଚୁକ୍ତିନାମା ଅବଧିର ଦୀର୍ଘ ୨ବର୍ଷ ୨ ମାସ ଅତିବାହିତ ହୋଇଯାଇଛି । ଘଟଣା ନେଇ ପୂର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଉମା ଚରଣ ପାଢିଙ୍କୁ ପଚାରିବାରୁ ସେ କହିଲେ ପୌର ପରିଷଦ ପକ୍ଷରୁ ସଂପୃକ୍ତ ସ୍ଥାନରୁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ହଟାଯିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଏ ନେଇ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ମନୋରଞ୍ଜନ ସାହୁଙ୍କ ସହ ଯୋଗଯୋଗ କରିବାରୁ ସେ କହିଲ୍ୱେହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇନଥିଲା । ଅକ୍ଟୋବର ମାସ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାର ଯୋଜନା ରହିଥିବା ବେଳେ ଦଶହରା ପୂଜା ନିିକଟତର ହୋଇଥିବାରୁ ସ୍ଥାନୀୟ ବଣିକ ସଂଘର ଅନୁରୋଧ କ୍ରମେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ କାର୍ଯ୍ୟ ଦଶହରା ପୂଜା ପରେ ଆରମ୍ଭ କରାଯିବାର ଯୋଜନା ରହିଛି । ଏ ନେଇ ଠିକାଦାର ସରୋଜ କୁମାର ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ କାର୍ଯ୍ୟ କରାଯିବା କଷ୍ଟକର, ଯେହେତୁ ନିର୍ମାଣ ସକାଶେ ଆବଶ୍ୟକ ସାମଗ୍ରୀର ମୂଲ୍ୟ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି ଏବଂ ବସ ଟର୍ମିନାଲ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପ୍ରାୟ ୮୮ଲକ୍ଷ ଟଙ୍କା ବକେୟା ରହିଛି । ବର୍ତମାନ ସୁଦ୍ଧା ଶ୍ରମିକ ମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଇ ପାରିନାହିଁ । ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟର ବକେୟା ବିଲ୍ ପାଇବା ପରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ କାର୍ଯ୍ୟ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ