ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଜମିରୁ ୩୮ ବର୍ଷ ପରେ ଜଙ୍ଗଲ ବିଭାଗର ଉଚ୍ଛେଦ ପଦକ୍ଷେପ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଆର୍ଥିକ ପ୍ରଗିତ ନିମନ୍ତେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ପଞ୍ଚାୟତ ତେଲୁଗୁ ନୂଆଗାଁ ଗ୍ରାମର ୧୩୬ ଜଣ ଗରିବ ହରିଜନ ପରିବାରଙ୍କୁ ପ୍ରଦାନ କରାଯାଇଥିବା ଜଙ୍ଗଲ ଜମିକୁ ଦୀର୍ଘ ୩୮ ବର୍ଷ ପରେ ଉଚ୍ଛେଦ ପଦକ୍ଷେପକୁ ବିରୋଧ କରାଯାଇଛି । କିଛି ସ୍ୱାର୍ଥପର ତଥା ଅସମାଜାକି ବ୍ୟକ୍ତିଙ୍କୁ ହାତରେ କରି ଉକ୍ତ ଜଙ୍ଗଲ ଜମିରେ ନିଆଁ ଲଗାଯାଇଛି । ଏହାକୁ ହରିଜନ ପରିବାର ପକ୍ଷରୁ ଦୃଢ ନିନ୍ଦା କରିବା ସହ ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ନିଆଯାଇଥିବା ଉଚ୍ଛେଦ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି ହୋଇଛି । ନଚେତ ଆଗାମୀ ଦିନରେ ୧୩୬ ଜଣ ହରିଜନ ପରିବାର ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ସଂକ୍ରାନ୍ତରେ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳ, ତହସଲିଦାର ଏବଂ ବିଡିଓଙ୍କ ଉଦ୍ଦେଶ୍ୟରେ ପୃଥକ ପୃଥକ ସ୍ମାରକ ପତ୍ର ଭିନ୍ନକ୍ଷମ ହିତାଧିକାରୀ ତଥା ବରିଷ୍ଠ ସାମାଜିକ କର୍ମୀ ଗୋବିନ୍ଦ ଦାସଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି ।ସୂଚନାନୁସାରେ, ୧୯୪୨ ମସିହାରେ ଓଡିଶା ସରକାରଙ୍କ ପକ୍ଷରୁ ଏହି ହରିଜନ ପରିବାରଙ୍କୁ ଚାଷ ଜମି ପ୍ରଦାନ କରାଯାଇଥିଲା । ତତ୍‌କାଳୀନ ସରକାରଙ୍କ ଗ୍ରାମ୍ୟ ଦରୀଦ୍ରଙ୍କ ଆର୍ଥିକ ଥଇଥାନା ଯୋଜନା (ଇଆରଆରପି) ଅନୁସାରେ ହିତାଧିକାରୀମାନଙ୍କୁ ଋଷିକୁଲ୍ୟା ନଦୀ ଗର୍ଭରେ ଥିବା ପଠା(ସ୍ଥାନୀୟ ନାମ ପଙ୍କାଳ)ରେ ୧୦୦ ଏକରରୁ ଅଧିକା ଜମି ବଣ୍ଟନ କରାଯାଇଥିଲା । ଗତ ୩୮ ବର୍ଷ ଧରି ଏହି ଗରିବ ହରିଜନ ପରିବାର ଉକ୍ତ ଜମିରେ ନଡିଆ ଚାଷ, କିଆବାଡ, ଧାନ, ଆଳୁ ପ୍ରଭୃତି ବହୁମୁଖୀ ପନିପରିବା ଚାଷ କରି ଜୀବକିା ନିର୍ବାହ କରି ଆସୁଥିଲେ । ସଂପ୍ରତ୍ତି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ହିତାଧିକାରୀଙ୍କ ଜମିରୁ ଉଚ୍ଛେଦ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଦୀର୍ଘ ୩୫ ବର୍ଷ ଧରି ହିତାଧିକାରୀମାନଙ୍କୁ ସମସ୍ତ ପ୍ରକାର ବିହନ, ସାର, କୀଟନାଶକ ପ୍ରଭୃତି ଯୋଗାଇ ଦେଇଆସୁଥିଲେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଉଚ୍ଛେଦ ବିରୋଧରେ ଏହି ଗରିବ ହରିଜନ ହିତାଧିକାରୀମାନେ ସ୍ୱର ଉତ୍ତୋଳନ କରିଛନ୍ତି । ସୂଚନାଯୋଗ୍ୟ ଯେ, ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଗ୍ରାମ୍ୟ ଦରିଦ୍ରଙ୍କ ଆର୍ଥିକ ଥଇଥାନା (ଇଆରଆରପି) ଯୋଜନା ଏକ ଅଭିନବ ଯୋଜନା ଥିଲା । ଏହି ଯୋଜନାରେ ଚାଷ ଜମି ବ୍ୟତୀତ ପଶୁପାଳନ ଓ କୌଳିକ ବୃତ୍ତିଧାରୀମାନଙ୍କୁ ପ୍ରୋତ୍ସାହନ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଓଡିଶାରେ ଲକ୍ଷ ଲକ୍ଷ ଗରିବ ପରିବାରଙ୍କୁ କାଜୁ ତୋଟା, ଜଙ୍ଗଲ ଜମି, ମତ୍ସ୍ୟଜୀବୀ ସଂପ୍ରଦାୟକଙ୍କୁ ପୋଖରୀ ରାଜ୍ୟ ସରକାର ନିର୍ମାଣ କରି ହିତାଧିକାରୀଙ୍କୁ ଆର୍ଥିକ ପ୍ରଗତିର ବ୍ୟବସ୍ଥା କରାଯାଇଥିଲା ଏଭଳି ଏକ ସୁଦୂର ପ୍ରସାରି ଯୋଜନାର ହିତାଧିକାରୀମାନଙ୍କୁ ଉଚ୍ଛେଦ କରିବା ଏବଂ ସେମାନଙ୍କର ଜୀବିକା ଛଡାଇ ନେବା କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋ’ସରକାରଙ୍କ ଅନ୍ତର୍ଗତ ପଦକ୍ଷେପର ଜ୍ୱଳନ୍ତ ଉଦାହରଣ କି ବୋଲି ଛତ୍ରପୁରର ବୁଦ୍ଧିଜୀବୀ ନାଗରିକ ଗଣଙ୍କ ମତ ପ୍ରକାଶ କରୁଅଛି । ଏସଂପର୍କରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ହିତାଧିକାରୀମାନେ ଦାବି କରିଛନ୍ତି । ଗୋଟିଏ ପଟେ କରୋନା ଭୟ ରହିଥିବା ଅନ୍ୟପଟେ ଏହି ଗରିବ ହରିଜନ ପରିବାରଙ୍କୁ ଜମି ଉଚ୍ଛେଦ ଭୟ ଘାରିଛି । ଅନ୍ୟପକ୍ଷରେ ଗତକାଲି ଉକ୍ତ ଜମିକୁ କିଛି ଅସାଧୁ ବ୍ୟକ୍ତି ନିଆଁ ଲଗାଇଥିଲେ । ଦମକାଳ ବାହିନୀ ଆସି ନିଆଁକୁ ଆୟତ୍ତ କରାଯାଇଥିଲା ବୋଲି ଗୋବିନ୍ଦଙ୍କ ସମେତ ଭୀମ ଦାସ, ସୁମା ଦାସ, ରମେଶ ଦାସ, ସମୀର ଦାସ, ମଙ୍ଗୁଳୁ ଦାସ, ବାବାଜୀ ଦାସ, କୀର୍ତ୍ତନ ଦାସ ବହୁ ସଂଖ୍ୟ ହିତାଧିକାରୀ ଆଜି ଉପରୋକ୍ତ ବିଷୟ ନେଇ ଅଭିଯୋଗ କରିଛନ୍ତି । ଏହି ସଂପର୍କରେ ଛତ୍ରପୁର ବନବିଭାଗର ଅଧିକାରୀ ଘରମଣୀ ପାଣିଗ୍ରାହୀଙ୍କୁ ପଚାରିଥିବା ବେଳେ ସେ ତାଙ୍କରି ପ୍ରତିକ୍ରିୟାରେ କହିଛନ୍ତି ଯେ, ସେହି ସ୍ଥାନରେ ଏକ ମେଗା ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି । ହିତାଧିକାରୀମାନଙ୍କୁ ସେଠାରୁ ଉଚ୍ଛେଦ କରିବାର କିଛି ବ୍ୟବସ୍ଥା ନାହିଁ । ହିତାଧିକାରୀମାନେ ଖାଲିରେ ଭ୍ରମିତ ଅଛନ୍ତି । ସେମାନଙ୍କୁ ଏନେଇ ମଧ୍ୟ ସଚେତନତା କରାଯାଇଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ