ହେମାଙ୍କୁ ବାହା ହେବା ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଧର୍ମେନ୍ଦ୍ର
ଯେତେବେଳେ ବି ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ବିଷୟରେ କଥା ଉଠେ ସେତେବେଳେ ହେମା ମାଳିନୀଙ୍କ ନାଁ ପ୍ରଥମେ ଆସେ । ୭୦ ଦଶକର ଅଭିନେତ୍ରୀ ହେମା ନିଜ ସୌନ୍ଦର୍ଯ୍ୟ ଓ ଅଭିନୟର ଯାଦୁରେ ଆଜି ବି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କୁ ବଲିଉଡ୍ର ଡ୍ରିମ୍ଗାର୍ଲ ବୋଲି କୁହାଯାଏ । ଆଜି ସେ ୭୧ ବର୍ଷରେ ପାଦ ଥାପିଛନ୍ତି । ତା’ହେଲେ ଆସନ୍ତୁ ଡ୍ରିମ୍ଗାଲଙ୍କ ଜନ୍ମଦିନ ଅବସରରେ ତାଙ୍କର ଓ ଧର୍ମେନ୍ଦ୍ରଙ୍କର ପ୍ରେମ କାହାଣୀ ବିଷୟରେ କିଛି ଜାଣିବା । ଧର୍ମେନ୍ଦ୍ର ଓ ହେମାଙ୍କ ବାହାଘରକୁ ୩୯ ବର୍ଷ ହୋଇଗଲାଣି । ଆଉ ଏବେ ବି ସେମାନେ ହିଟ୍ ଯୋଡ଼ି ହୋଇ ରହିଛନ୍ତି । ଆଜି ବି ଲୋକେ ପରଦାରେ ସେମାନଙ୍କୁ ଦେଖିବାକୁ ଚାହୁଁଛନ୍ତି । ହେଲେ ସେମାନଙ୍କ ପ୍ରେମ କାହାଣୀ ଏତେ ସହଜ ନଥିଲା । ୭୦ ଦଶକରେ ବଲିଉଡରେ ରାଜ୍ କରୁଥିଲେ ହେମା । ସମସ୍ତଙ୍କ ମନରେ ଡ୍ରିମ୍ଗାର୍ଲଙ୍କ ଛବି ଛପିଯାଇଥିଲା । ସେ ସମୟର ୩ ଜଣ ବଡ଼ ବଡ଼ ସୁପରଷ୍ଟାର ହେମାଙ୍କ ପ୍ରେମରେ ପଡ଼ିଯାଇଥିଲେ । ଆଉ ସମସ୍ତେ ଚାହୁଁଥିଲେ ତାଙ୍କୁ ନିଜର କରିବାକୁ ।
ପ୍ରଥମେ ହେମାଙ୍କ ପ୍ରେମରେ ପଡ଼ିଥିଲେ ସଞ୍ଜୀବ କୁମାର । ସେ ତାଙ୍କୁ ବିବାହ କରିବା ପାଇଁ ଚାହିଁଥିଲେ । ଏମିତିକି ତାଙ୍କ ଘରକୁ ନିଜ ମାତାପିତାଙ୍କ ହାତରେ ବିବାହ ପ୍ରସ୍ତାବ ପଠାଇଥିଲେ । ହେଲେ ହେମାଙ୍କ ମା’ତାଙ୍କ ଝିଅର ବିବାହ ପାଇଁ ବୟସ ହୋଇନାହିଁ ବୋଲି କହି ମନା କରି ଦେଇଥିଲେ । ଏହାପରେ ଜିତେନ୍ଦ୍ର ମଧ୍ୟ ହେମାଙ୍କୁ ପ୍ରପୋଜ୍ କରିଥିଲେ । ହେଲେ ସେତେବେଳକୁ ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଧୀରେ ଧୀରେ ପ୍ରେମ ସମ୍ପର୍କ ଗଢ଼ିଉଠୁଥିଲା । ହେମାଙ୍କ ମାତାପିତା କିନ୍ତୁ ଏ ସମ୍ପର୍କରେ ରାଜି ନଥିଲେ । କାରଣ ଧର୍ମେନ୍ଦ୍ର ବିବାହିତ ଥିଲେ ଓ ତାଙ୍କର ୪ଟି ପିଲା ମଧ୍ୟ ଥିଲେ । ଏହାପରେ ଜିତେନ୍ଦ୍ର ହେମାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ । ଜିତେନ୍ଦ୍ର ଓ ହେମାଙ୍କ ବିବାହ ପ୍ରସ୍ତାବରେ ଉଭୟଙ୍କ ପରିବାର ରାଜି ହୋଇଯାଇଥିଲେ । ହେମା କିନ୍ତୁ କିଛି ନିଷ୍ପତ୍ତି ନେଇପାରୁ ନଥିଲେ ।
ଏ କଥା ଯେତେବେଳେ ଧର୍ମେନ୍ଦ୍ରଙ୍କ କାନରେ ପଡ଼ିଲା ସେ ରାଗିଯାଇ ହେମାଙ୍କୁ ଫୋନ୍ କରିଥିଲେ ଓ କିଛି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କୁ ଦେଖା କରିବାକୁ କହିଥିଲେ । ଏହା ପରେ ହେମା ଧର୍ମ ସଙ୍କଟରେ ପଡ଼ିଯାଇଥିଲେ । ହେମାଙ୍କୁ ଚିନ୍ତାରେ ଦେଖି ଜିତେନ୍ଦ୍ର ଡ଼ରି ଯାଇଥିଲେ । ହେମା କାଳେ ମନ ବଦଳାଇ ଦେବେ ସେଥିପାଇଁ ସେ ସେଇଦିନ ହିଁ ମନ୍ଦିରରେ ବିବାହ କରିବାକୁ ନିଷ୍ପତି ନେଲେ । ଏନେଇ ଉଭୟଙ୍କ ପରିବାର ବିଚାର କରୁଥିବାବେଳେ ଜିତେନ୍ଦ୍ରଙ୍କୁ ଗର୍ଲଫ୍ରେଣ୍ଡ ଶୋଭାଙ୍କର ଫୋନ୍ ଆସିଥିଲା । ଏହାପରେ ଜିତେନ୍ଦ୍ର ଓ ହେମାଙ୍କ ବାହାଘର ଭାଙ୍ଗିଯାଇଥିଲା । ଜିତେନ୍ଦ୍ର ଶୋଭାଙ୍କୁ ବାହା ହୋଇଥିଲେ ।
ତଥାପି ଧର୍ମେନ୍ଦ୍ର ଓ ହେମାଙ୍କ ରାସ୍ତାରୁ କଣ୍ଟା ଯାଇ ନଥିଲା । ଦୁହିଁଙ୍କ ସମ୍ପର୍କରେ ପରିବାର ଲାକେ ଆଦୌ ରାଜି ନଥିଲେ । ଧର୍ମେନ୍ଦ୍ରଙ୍କ ପତ୍ନୀ ପ୍ରକାଶ କୌର୍ ମଧ୍ୟ ଛାଡ଼ପତ୍ର ଦେବାକୁ ରାଜି ନଥିଲେ । ଶେଷରେ ଦୁହେଁ ଧର୍ମ ପରିବର୍ତ୍ତନ କରି ଇସଲାମ୍ ଧର୍ମ ଆପଣେଇ ଥିଲେ । ଏହାପରେ କାହାକୁ ନ ଜଣେଇ ଲୁଚି ବାହା ହାଇଥିଲେ ।


