୧୪ଜଣ ଅନାଥ ଶିଶୁକନ୍ୟାଙ୍କ ନାମରେ ଖୋଲିଲା‘ସୁକନ୍ୟା’ଜମାଖାତା
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ଶିଶୁ ଯତ୍ନଗୃହରେ ରହି ପାଠ ପଢ଼ୁଥିବା ୯ ଜଣ ମେଧାବୀ ଶିଶୁଙ୍କୁ ପ୍ରଶାସନ ପକ୍ଷରୁ ୫ ହଜାର ଟଙ୍କା ଲେଖାଏଁ ଶିକ୍ଷାବୃତ୍ତି ରାଶି ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦ୍ଦେବ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାବୃତ୍ତିରାଶି ପ୍ରଦାନ କରିଥିଲେ । ଏଥି ସହିତ ଶିଶୁ ଯତ୍ନଗୃହରେ ରହୁଥିବା ୧୦ବର୍ଷରୁ କମ ୧୪ ଜଣ ଅସହାୟ ଶିଶୁକନ୍ୟାଙ୍କୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ବ୍ୟାଙ୍କ ଜମାଖାତା ପ୍ରଦାନ କରାଯାଇଛି । ପ୍ରତିବର୍ଷ ସେମାନଙ୍କର ଏହି ବ୍ୟାଙ୍କ ଆକାଉଣ୍ଟରେ ୨ହଜାର ଲେଖାଏଁ ଟଙ୍କା ଜମା ରହିବ । ଏହି ଅର୍ଥ ସେମାନଙ୍କ ଭବିଷ୍ୟତ ପାଇଁ ବେଶ ଉପାଦେୟ ହେବ ବୋଲି ଜିଲାପାଳ ଆଶା ପ୍ରକାଶ କରିଛନ୍ତି ।ଏହା ବ୍ୟତୀତ ଆଶୀର୍ବାଦ ଯୋଜନାରେ ୫୧୮ ଜଣ ପିତୃମାତୃ ହୀନ ଶିଶୁଙ୍କୁ ସାମିଲ କରାଯାଇଥିଲା । ଏଥିରେ ୫୦୫ ଜଣଙ୍କର ପିତା କିମ୍ବା ମାତାଙ୍କ ମୃତ୍ୟୁ (ଏକ ଅଭିଭାବକ) ହୋଇଥିବା ବେଳେ ୧୩ ଜଣ ଶୁଶୁଙ୍କର ପିତାମାତାଙ୍କର ମୃତ୍ୟୁ (ଦୁଇ ଅଭିଭାବକ ନଥିବା) ହୋଇଯାଇଛି ।ଏହି ଆଶୀର୍ବାଦ ଯୋଜନାରେ ଆଦୌ ଅଭିଭାବକ ନଥିବା ୧୩ ଜଣ ଶିଶୁଙ୍କୁ ମାସିକ ୨,୫୦୦ ଲେଖାଏଁ ଓ ଏକ ଅଭିଭାବକ ଥିବା ୫୦୫ ଜଣଙ୍କୁ ୧୫୦୦ ଲେଖାଏଁ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହି ଯୋଜନାରେ ସାମିଲ ହୋଇଥିବା ଜିଲାର ୧୩୧୩ ଜଣ ଶିଶୁଙ୍କୁ ମଧ୍ୟରୁ ୬୧ ଜଣ ପିତୃମାତୃ ହୀନ ଥିବା ବେଳେ ୧୨୫୨ ଜଣ ଏକ ଅଭିଭାବକ ଥିଲେ । ଅଦ୍ୟାବଧି ଜିଲାର ମୋଟ ୧୮୩୧ ଜଣ ଆଶୀର୍ବାଦ ଯୋଜନାରେ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪ ଜଣ ପିତୃ ମାତୃହୀନ ଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ ସୂଚନା ଦେଇଛନ୍ତି ।


