୧୯ତମ ବିଶ୍ୱ ରକ୍ତଦାତା ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲ୍ଲା ରକ୍ତଦାତା ସଂଘ ପକ୍ଷରୁ ୧୯ତମ ବିଶ୍ୱ ରକ୍ତଦାତା ଦିବସ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଏହି ଉତ୍ସବକୁ ଉତ୍ସବକୁ ଉଦ୍‌ଘାଟନ କରିବା ସହିତ ରକ୍ତଦାତାମାନଙ୍କ ମହାନତା ଯୋଗୁଁ ସାମ୍ପ୍ରତିକ ସମାଜରେ ରକ୍ତର ଅଭାବ ପୂରଣ ହୋଇପାରିଛି ବୋଲି ମତ ପ୍ରକାଶ କରିଥିଲେ । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏଥିରେ ବରେଣ୍ୟ ଅତିଥିଭାବେ ଯୋଗଦେଇ ରକ୍ତଦାନ କ୍ଷେତ୍ରରେ ଜିଲ୍ଲା ରକ୍ତଦାତା ସଂଘର ଗଠନମୂଳକ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ଆଶାତୀତ ବଢି ଚାଲି ଥିବା ବେଳେ ରକ୍ତର ଅଧିକ ଆବଶ୍ୟକତା ପୂରଣପାଇଁ ସ୍ୱେଚ୍ଛାସେବୀ ସଂଗଠନମାନେ ନିୟମିତ ରକ୍ତଦାନ ଶିବିର ଆୟୋଜନ ଦିଗରେ ଅଧିକ ଯତ୍ନବାନ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ୍ ଜଗଦେବ୍‌, ଅତିରିକ୍ତ ଜିଲ୍ଲା ଚିକିତ୍ସଦାଧିକାରୀ ଡାକ୍ତର ଶଶାଙ୍କ ଶେଖର ଚୌଧୁରୀ, ନିଦାନ ବିଶେଷଜ୍ଞ ତଥା ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଡଃ ମହେଶ କୁମାର ବିଶ୍ୱାଳ, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡଃ ବସନ୍ତ କୁମାର ଉପାଧ୍ୟାୟ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରକାଶିତ ବାର୍ଷିକ ମୁଖପତ୍ର ‘ସ୍ପନ୍ଦନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ରକ୍ତ ଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କ ସମେତ ବହୁ ସଂଗଠନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଇଂ ହୃଷୀକେଶ ସାହୁ ବିବରଣୀ ପାଠ କରିଥିଲେ । ସଂଗଠନ ସମ୍ପାଦକ ରାଜେଶ ଗିରି ଅତିଥିଙ୍କ ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମନୋରଞ୍ଜନ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ