ଶ୍ରଦ୍ଧା ଓ ଭକ୍ତିର ସହ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ସମ୍ପନ୍ନ : ଶ୍ରୀଜୀଉଙ୍କ ଗଜାନନ ବେଶ ଦର୍ଶନରେ ଧନ୍ୟ ହେଲେ ଭକ୍ତ

ବାଲେଶ୍ୱର, (ସରୋଜ ପଣ୍ଡା) :-କରୋନା ସଂକ୍ରମଣ ଜନିତ କଟକଣା ହଟିବା ପରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରାର ଅୟମାରମ୍ଭ ହୋଇଛି । ଏହି ଯାତ୍ରାର ପ୍ରଥମ ପର୍ବ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପୁରୀ ଶ୍ରୀକ୍ଷେତ୍ରକୁ ଚଳଚଂଚଳ କରିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରମାନଙ୍କରେ ବେଶ୍ ଶ୍ରଦ୍ଧା ଓ ଭକ୍ତିର ସହ ଶ୍ରୀଜୀଉଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପଳିତ ହୋଇଛି । ବାଲେଶ୍ୱର ସହରର ମଣ୍ଡଳବଜାର ଶ୍ରୀଜଗନ୍ନାଥ ମନ୍ଦିର, ମୋତିଗଞ୍ଜ ବଜାର ବାଣ୍ଠିଆ ଜଗନ୍ନାଥ ମନ୍ଦିର, ବାଲିଘାଟ ଜଗନ୍ନାଥ ମନ୍ଦିର, ପୁଲିସ ଲାଇନ୍ ଜଗନ୍ନାଥ ମନ୍ଦିର, ଆଜିମାବାଦ ଜଗନ୍ନାଥ ମନ୍ଦିିର ସମେତ ବାଲିଆ, ଶାସଙ୍ଗ ପ୍ରଭୃତି ସ୍ଥାନରେ ଆଜି ବିଶେଷ ନୀତିରେ ଶ୍ରୀଜୀଉମାନଙ୍କର ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃକାଳରେ ଦୈନିକ ରୀତିପୂଜା ପରେ ତିନିଠାକୁରଙ୍କ ସମେତ ଚକ୍ରରାଜ ସୁଦର୍ଶନଙ୍କୁ ଭକ୍ତମାନେ ଧାଡ଼ି ପହଣ୍ଡିରେ ସ୍ନାନବେଦୀ ବା ସ୍ନାନମଣ୍ଡପକୁ ନିଆଯାଇଥିଲା । ଘଣ୍ଟ ଘଣ୍ଟା, ଶଙ୍ଖ ହୁଳୁହୁଳି, ଭଜନ କୀର୍ତ୍ତନ ସହିତ ହରିବଲ ଓ ଜୟ ଜଗନ୍ନାଥ ଧ୍ୱନିରେ ବିଗ୍ରହମାନଙ୍କୁ ଧାଡ଼ି ବା ଗୋଟି ପହଣ୍ଡିରେ ଆଣୁଥିବା ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା । ସ୍ନାନବେଦୀରେ ବିଗ୍ରହମାନଙ୍କୁ ୧୦୮ ପବିତ୍ର ତଥା ସୁବାସିତ ଜଳରେ ସ୍ନାନ କରାଯିବା ଦୃଶ୍ୟ ମଧ୍ୟ ଭକ୍ତଙ୍କୁ ବିମୋହିତ କରିଥିଲା । ସ୍ନାନପରେ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ଶ୍ରୀଜୀଉମାନେ ଗଜାନନ ବେଶରେ ପ୍ରକଟ ହୋଇଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କର ବିଭନ୍ନ ଯାତ୍ରା ମଧ୍ୟରୁ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ହେଉଥିବା ସ୍ନାନ ଯାତ୍ରା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅଂଶବିଶେଷ ଅଟେ । ୧୦୮ ଗରା ସୁବାସିତ ଜଳକୁ ମନ୍ତ୍ରପାଠ ଦ୍ୱାରା ପବିତ୍ର କରାଇବା ପରେ ତନ୍ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ସ୍ନାନରେ ୩୫ ଗରା, ବଡ଼ଭାଇ ବଳଭଦ୍ରଙ୍କର ୩୩ ଗରା, ଦେବୀ ସୁଭଦ୍ରାଙ୍କର ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରାରେ ସ୍ନାନ କରାଯାଇଥାଏ । ସ୍ନାନ ଉତ୍ସବ ପରେ ତିନିଠାକୁର ଜ୍ୱରରେ ପୀଡ଼ିତ ହୋଇ ୧୬ ଦିନ ପାଇଁ ଅଣସରକୁ ଚାଲିଯାଆନ୍ତି । ୧୬ ଦିନ ପରେ ଶରୀର ସୁସ୍ଥ ହେବା ପରେ ପ୍ରଭୁ ନବଯୌବନ ଲାଭକରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ତେବେ ସମ୍ପୂର୍ଣ୍ଣ ମାନବବାଦର ପ୍ରତିଫଳନ ସ୍ୱରୂପ ଶ୍ରୀଜଗନ୍ନାଥ ସଂସ୍କୃତିରେ ଏହି ସ୍ନାନଯାତ୍ରାର ମଧ୍ୟ ମହତ ଉଦ୍ଦେଶ୍ୟ ଅଛି । ପ୍ରଚଣ୍ଡ ରୌଦ୍ରତାପରେ ଶରୀରରେ ଝାଳ ବୋହିବା ଯୋଗୁଁ ଧୁଳିମଳି ଲାଗିଥିବା ବେଳେ ସ୍ୱତନ୍ତ୍ର ଜଳର ସ୍ନାନରେ ଏହାକୁ ପରିଷ୍କାର କରାଯାଇଥାଏ ବୋଲି କୁହାଯାଏ । କିମ୍ବଦନ୍ତୀ ଅନୁସାରେ ରାଜ୍ୟ ବାହାରର ଜନୈକ ଭକ୍ତ ଗଣପତି ଭଟ୍ଟଙ୍କୁ ମହାପ୍ରଭୁ ଏହି ଦିନ ଗଜାନନ ବେଶରେ ଦର୍ଶନ ଦେଇଥିବା ଯୋଗୁଁ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉମାନଙ୍କୁ ଗଜନାନ ବେଶରେ ସଜ୍ଜିତ କରାଯାଇଥାଏ । ଏହି ରୂପ ଦର୍ଶନ କରି ଭକ୍ତମାନେ ପୂଣ୍ୟଫଳ ଲାଭ କରିଥା’ନ୍ତି ବୋଲି ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ