୨ଦିନିଆ ପୌରାଧ୍ୟକ୍ଷମାନଙ୍କ କର୍ମଶାଳାରେ ଗଜପତିର ଦୁଇ ସହରାଞ୍ଚଳ ପୌରାଧ୍ୟକ୍ଷା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଭୁବନେଶ୍ୱର ଲୋକସେବା ଭବନ ଠାରେ ଅନୁଷ୍ଠିତ ହେଉଥିବା ମେୟର ଓ ପୌରାଧ୍ୟକ୍ଷଙ୍କ ପାଇଁ “ପୌର ଶାସନ ପ୍ରଣାଳୀ ଏବଂ ଉନ୍ନୟନ ପଦ୍ଧତି କର୍ମଶାଳା”ରେ ଗଜପତି ଜିଲ୍ଲାର ଦୁଇ ଗୋଟି ସହରାଞ୍ଚଳ ଯଥା ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ଏନ୍ଏସିର ଅଧ୍ୟକ୍ଷା ଦ୍ୱୟ ଯୋଗ ଦେଇଥିବାର ଜଣାପଡିଛି । ଏହି କର୍ମଶାଳା ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଚାଲୁ ରହିବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ, ସଚିବ, ରାଜ୍ୟସ୍ତରୀୟ ପଦାଧିକାରୀମାନେ ଯୋଗ ଦେଇ ପୌରଶାସନ, ପୌରାଞ୍ଚଳର ଉନ୍ନୟନ ତଥା ବିକାଶ କାର୍ଯ୍ୟକ୍ରମ, ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ଲୋକଙ୍କ ନିକଟକୁ ପହଞ୍ଚାଇବା, କିପରି ତ୍ୱରାନ୍ୱିତ ହେବ ସେ ନେଇ ଏହିି କର୍ମଶାଳାରେ ତାଲିମ ଦିଆଯିବ ବୋଲି ଜଣାପଡିଛି । ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ଏବଂ କାଶୀନଗର ଏନ୍ଏସି ଅଧ୍ୟକ୍ଷା ଏମ୍.ସୁଧାରାଣୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାର ଜଣାଇଛନ୍ତି ।


