୨୦୨୦ରେ ଓଡିଶାର ଉନ୍ନତି ଓ ଦେଶର ପ୍ରଗତି ହେଉ -ଧର୍ମେନ୍ଦ୍ର ପ୍ରଧାନ
ପୁରୀ – ଦୁଇଦିନିଆ ପୁରୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଂରାଜୀ ନବବର୍ଷର ଦିନକ ପୂର୍ବରୁ ମଙ୍ଗଳବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ନୂଆବର୍ଷରେ ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମଙ୍ଗଳ କାମନା କରିବା ସହ ୨୦୨୦ରେ ଓଡିଶାର ଉନ୍ନତି ଓ ଦେଶର ପ୍ରଗତି ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମୟ ଅନୁସାରେ ପୁରୀର ରୂପ ବଦଳୁଛି । ଆଗାମୀ ଦିନରେ ସ୍ଥାନୀୟ ସମାଜ ତଥା ପୁରୀ ଅଂଚଳର ଧର୍ମାଚାର୍ଯ୍ୟଙ୍କ ସହଯୋଗରେ ଶ୍ରୀମନ୍ଦିରର ଆହୁରି ସୌନ୍ଦର୍ଯ୍ୟକରଣ କରାଯିବା ସମସ୍ତଙ୍କ ଦାୟିତ୍ୱ । ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁନ୍ଦରତର କରାଯାଇ ପୁରୀ, କୋଣାର୍କ, ଚିଲିକା, ସାକ୍ଷୀଗୋପାଳ, କାକଟପୁର ମାଁ ମଙ୍ଗଳା ଏବଂ ରଘୁରାଜପୁରର ପଟ୍ଟଚିତ୍ର ତଥା ଧାର୍ମିକ ଭାବନା ସହ ଜଡିତ ପର୍ଯ୍ୟଟନ କ୍ଷେତ୍ରକୁ ବଢାଇବା ସମସ୍ତଙ୍କ ଦାୟିତ୍ୱ ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ୨୦୨୦ ବର୍ଷ ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିବା ନେଇ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି । ୨୦୨୦ରେ ଓଡିଶା ଅଧିକ ସ୍ୱୟଂସମ୍ପନ୍ନ ହେଉ ଏବଂ ଓଡିଆ ଲୋକମାନଙ୍କ ଜୀବନରେ
ସୁଖ ସ୍ୱାଚ୍ଛନ୍ଦ୍ୟ ଆସୁ । ବିନା ବିବାଦରେ ସବୁ କାମ ସୂଚାର ରୂପେ ସମ୍ପାଦିତ ହେଉ । ଜଣେ ଭକ୍ତ ଭାବରେ ରତ୍ନଭଣ୍ଡାର ଖୋଲାଯାଉ, କିନ୍ତୁ ତାହା ସ୍ଥାନୀୟ ପ୍ରଶାସନର ନିଷ୍ପତି ଉପରେ ନିର୍ଭର କରେ ବୋଲି ଅନ୍ୟ ଏକ ପୃଥକ ପ୍ରଶ୍ନର ଉତରରେ କହିଛନ୍ତି । ୨୦୨୦ରେ ଓଡିଶାକୁ ଆହୁରି ବଡ କରିବାର ଆଶା ଓ ଆକଂକ୍ଷା ରହିଥିବା ସେ ପ୍ରକାଶ କରିଛନ୍ତି ।


