୨୬ ନଂ ଜୋନ୍ରେ ସିପିଆଇ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ମହିଳାମାନଙ୍କ ଶୋଭାଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା) :-୨୬ନଂ ଜୋନ୍ର ସିପିଆଇ ପ୍ରାର୍ଥୀ ବନ୍ଦନା ପାତ୍ର ପରିଖି ପଞ୍ଚାୟତର ବାହାର୍ଦ୍ଦା ଗ୍ରାମ ଓ ବଜାର ଅଞ୍ଚଳରେ ମହିଳାମାନଙ୍କୁ ନେଇ ସଭା, ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ମଙ୍ଗଳବାର ଦିନବ୍ୟାପୀ ଭୋଟ୍ ପ୍ରଚାର କରିଛନ୍ତି । ବର୍ଷିୟାନ୍ କମ୍ୟୁନିଷ୍ଟ୍ ନେତା ପଞ୍ଚାନନ ମାନ୍ନାଙ୍କ ନେତୃତ୍ୱରେ ଶ୍ରୀମତୀ ପାତ୍ର କେନ୍ଦ୍ର ଓ ରାଜ୍ୟରେ ଥିବା ଶାସକଦଳମାନଙ୍କ ନୀତିକୁ ଦୃଢ଼ ସମାଲୋଚନା କରି ଗରିବ ଲୋକମାନେ କମ୍ୟୁନିଷ୍ଟ୍ ପାର୍ଟିର ଆଦର୍ଶକୁ ଗ୍ରହଣ କରି ଦା’ଧାନ କେଣ୍ଡା ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଶାସକଦଳର ଅପକର୍ମ ବିରୁଦ୍ଧରେ କେବଳ କମ୍ୟୁନିଷ୍ଟମାନେ ସେମାନଙ୍କ ଲଢ଼େଇ ଜାରି ରଖିଛନ୍ତି ବୋଲି ବିଭିନ୍ନ ବୈଠକରେ ବକ୍ତାମାନେ ଦର୍ଶାଇଥିଲେ । କମ୍ୟୁନିଷ୍ଟ୍ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଭିଯାନରେ ଗାୟତ୍ରୀ ହାତି, ରଂଜିତା ପାତ୍ର, ବିନତି ପାତ୍ର, ଶକୁନ୍ତଳା ଖଣ୍ଡା, ସାବିତ୍ରୀ ମାଇତି, ଅନୁପମା ଗିରି, ଭାରତୀ ଖଟୁଆ ଓ କାମିନୀ ଭୂୟାଁଙ୍କ ସମେତ ସିପିଆଇର ସଦର ଜୋନ୍ ସଂପାଦକ ଜତିନ୍ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।


