୪୦ ବର୍ଷ ପୂର୍ବେ ଡିନ କୁଞ୍ଜ ଉପନ୍ୟାସରେ ଥିଲା “କରୋନା’ କଥା
ବେଜିଂ : ସମ୍ପ୍ରତି କରୋନା ଭାଇରସ କେବଳ ମାତ୍ର ଚୀନ ନୁହେଁ ବରଂ ସମଗ୍ର ବିଶ୍ୱରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି । ଚୀନର ଉହାନ ସହରକୁ ଏବେ କରୋନା ଭାଇରସର ଅନ୍ତୁଡ଼ିଶାଳ ବୋଲି କୁହାଯାଉଛି । କାରଣ, କରୋନା ଭାଇରସ ସର୍ବ ପ୍ରଥମେ ଏଇ ଉହାନରେ ପ୍ରକଟ ହେବା ସହ ପରବର୍ତ୍ତୀ ସମୟରେ ଅନ୍ୟ ଆଡ଼କୁ ନିଜର କାୟା ବିସ୍ତାର କରିଥିଲା ।
ବର୍ତ୍ତମାନ ସୁଦ୍ଧା କରୋନା ଭାଇରସରେ ଆକ୍ରାନ୍ତ ହୋଇ କେବଳ ମାତ୍ର ଚୀନରେ ୧୭୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ଏବେ ସୁଦ୍ଧା ବିଶ୍ୱର ଅନ୍ୟ ୨୫ଟି ରାଷ୍ଟ୍ରକୁ ବ୍ୟାପିଗଲାଣି ଏହି ଭୟାନକ କରୋନା ଭାଇରସ ।
ତେବେ, ଆପଣ କ’ଣ ଜାଣିଛନ୍ତି ଆଜକୁ ୪୦ ବର୍ଷ ପୂର୍ବେ ଜଣେ ଔପନ୍ୟାସିକ ତାଙ୍କର ଏକ ଉପନ୍ୟାସରେ ଏହି ଭୟାନକ ଉହାନ ଭାଇରସ (କରୋନା ଭାଇରସ) ସଂପର୍କରେ ଉଲ୍ଲେଖ କରିଥିଲେ । ଆଜ୍ଞା ହଁ! ଶୁଣିବାକୁ ଆଶ୍ଚର୍ଯ୍ୟ ମନେ ହେଉଥିଲେ ହେଁ ଏହା ସଂପୂର୍ଣ୍ଣ ସତ୍ୟ । ଔପନ୍ୟାସିକ ଡିନ କୁଞ୍ଜ ବିଗତ ୧୯୮୧ରେ ରଚନା କରିଥିବା ତାଙ୍କର ଏକ କାଳ୍ପନିକ ଥ୍ରିଲର ଉପନ୍ୟାସ “ଦ ଆଇଜ ଅଫ ଡାର୍କନେସ’ରେ ଏହି ଭାଇରସ ସଂପର୍କରେ ଉଲ୍ଲେଖ କରିବା ସହ ଏହାର ନାମକରଣ ଉହାନ-୪୦୦ ବୋଲି କରିଥିଲେ । ଔପନ୍ୟାସିକ ଡିନ ଏହି ଭାଇରସ୍ ଉହାନ-୪୦୦କୁ ଏକ ଅସ୍ତ୍ର ରୂପେ ଏକ ପରୀକ୍ଷାଗାରରେ ପ୍ରସ୍ତୁତ କରିଥିଲେ । ଏ ଘଟଣା ଏବେ ଜଣାପଡ଼ିବା ପରେ ସତ ସାହିତି୍ୟକମାନେ ଯେ ଭବିଷ୍ୟଦ୍ରଷ୍ଟା ଏକଥା ଆଉଥରେ ପ୍ରମାଣିତ ହୋଇଯାଇଛି ଏବଂ ଔପନ୍ୟାସିକ ଡିନ କୁଞ୍ଜଙ୍କ ଦ୍ୱାରା ବିଗତ ୧୯୮୧ରେ ରଚିତ ଏହି କାଲ୍ପନିକ ଥ୍ରିଲର ଉପନ୍ୟାସ “ଦ ଆଇଜ ଅଫ ଡାର୍କନେସ’କୁ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଇଣ୍ଟରନେଟରେ ବ୍ୟାପକ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି ।


