୫ଦଫା ଦାବିରେ କରେଇଶୁଣୀ କୃଷକ ସଂଘ ପକ୍ଷରୁ ପୌର ଓ କୃଷି କାର୍ଯ୍ୟାଳୟ ଘେରାଉ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କୃଷକ ମାନଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିବା ଦାବିରେ ୫ ଦଫା ଦାବି ନେଇ ଶୁକ୍ରବାର ହିଞ୍ଜିଳିକାଟୁ ପୌରାଂଚଳ କରେଇଶୁଣୀ କୃଷକ ସଂଘର ଶତାଧିକ କୃଷକ ସ୍ଥାନୀୟ ପୌର କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସଂଘ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ କ୍ଷୁଦ୍ର ଚାଷୀ ଶୁକ୍ରବାର ପୂର୍ବାହ୍ନରେ ପୌରାଂଚଳ ବଇଁଚବଣିଆ ପୂର୍ତ ବିଭାଗ ଡ଼ାକବଙ୍ଗଳା ଠାରୁ ଏକ ରାଲିରେ ଆସି ପୌର କାର୍ଯ୍ୟାଳୟ ଘେରାଉ କରିବା ସହ ୫ ଦଫା ବିଶିଷ୍ଟ ଏକ ଦାବି ପତ୍ର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ମନୋରଂଜନ ସାହୁଙ୍କୁ ପ୍ରଦାନ କରିଥିଲେ । ସ୍ଥାନୀୟ ପରିବା ବଜାରରୁ କିଛି ବ୍ୟବସାୟୀ ଦୀର୍ଘଦିନ ଧରି ଜବର ଦଖଲ କରି ରହିଥିବାରୁ ରାସ୍ତା ସଂକୀର୍ଣ୍ଣ ହେବା ସହ ବହୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ପୌର ଓ ପୁଲିସ ପ୍ରଶାସନର ମିଳିତ ସହଯୋଗରେ ଜବର ଦଖଲ କରିଥିବା ବ୍ୟବସାୟୀଙ୍କୁ ସଂପୃକ୍ତ ସ୍ଥାନରୁ ହଟାଇ ଦିଆଯିବା ସହ ପରିବା ବଜାର ପଛପଟ ଅଂଚଳ ଲକ୍ଷ୍ମୀ ପଡ଼ିଆକୁ ସ୍ଥାନାନ୍ତରିତ କରାଯାଇଥିଲା । ଗ୍ରାହକ ମାନେ ମୁଖ୍ୟ ପରିବା ବଜାରରୁ ପରିବା କିଣି ପେରୁଥିବାରୁ ଲକ୍ଷ୍ମୀ ପଡ଼ିଆ ଅଂଚଳରେ ବ୍ୟବସାୟ କରୁଥିବା କ୍ଷୁଦ୍ର ପରିବା ବ୍ୟବସାୟୀଙ୍କ ବ୍ୟବସାୟ ନହେବା ଏବଂ ବହୁ କ୍ଷତିର ସମ୍ମୁଖିନ ହେବାରୁ ପୁର୍ନବାର ମୁଖ୍ୟ ପରିବା ବଜାର ଅଂଚଳରେ ବ୍ୟବସାୟ କରି ଆସୁଛନ୍ତି । ଯାହା ଫଳରେ ଯେଉଁ ବ୍ୟବସାୟୀଙ୍କ ଦୋକାନ ଗୃହ ସମ୍ମୁଖରେ କ୍ଷୁଦ୍ର ଚାଷୀ ମାନେ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ମୋଟା ଅଙ୍କର ଭଡ଼ା ଦେବାକୁ ପଡ଼ୁଛି ଏଥି ସହ ପୌର କର୍ମଚାରୀ ମାନେ ମୁଖ୍ୟ ରାସ୍ତା ଉପରେ ରହି ବ୍ୟବସାୟ କଲେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ୁଥିବାରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ନେଇ ଅଭିଯୋଗ କରିଛନ୍ତି । ପୌରାଂଚଳର ବହୁ ଧାନ ଚାଷୀ ଭାଗ ଚାଷୀ ହୋଇଥିବାରୁ ଉତ୍ପାଦିତ ଧାନକୁ ସିଧାସଳଖ ଧାନମଣ୍ଡିରେ ବିକ୍ରି କରିନପାରି ଦଲାଲକୁ ବିକ୍ରି କରି କ୍ଷତିର ସମ୍ମୁଖିନ ହେଉଥିବା ବେଳେ ଏହାର ସମାଧାନ ପାଇଁ ଦାବି ଜଣାଇଛନ୍ତି । ବହୁ ଗାଇ ମାଲିକ ମାନେ ନିଜ ନିଜ ଗାଇ ଗୋରୁ ମାନଙ୍କୁ କ୍ଷୀର ଦୁହିଁବା ପରେ ରାସ୍ତାରେ ଗାଇଗୋରୁ ମାନଙ୍କୁ ଛାଡ଼ି ଦେବା ଫଳରେ ଚାଷ ଜମିରେ ଗାଇଗୋରୁ ମାନେ ଫସଲ ଖାଇବା ସହ ନଷ୍ଟ କରୁଥିବାରୁ ଏହାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି । ବିଭିନ୍ନ ସରକାରୀ ଯୋଜନା ସର୍ମ୍ପକରେ ଚାଷୀଙ୍କୁ ସୂଚନା ପ୍ରଦାନ କରିବା ସହ ସାରର କଳାବଜାର ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି । ଉପରୋକ୍ତ ୫ ଦଫା ଦାବିର ସମାଧାନ କରାନଗଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ସାହୁଙ୍କ ସହ ଆଲୋଚନା ପରେ ଚାଷୀ ମାନେ ବିଭିନ୍ନ ସରକାରୀ ଯୋଜନା ସର୍ମ୍ପକରେ ଚାଷୀଙ୍କୁ ସୂଚନା ପ୍ରଦାନ କରାଯାଉନଥିବା ଏବଂ ସାରର କଳାବଜାର ହେଉଥିଲେ ମଧ୍ୟ କୃଷି ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବା ନେଇ ସ୍ଥାନୀୟ ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ