କାଠ ଗଣ୍ଡିରେ ବିପଦସଙ୍କୁଳ ଯାତାୟାତ

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳର ବିକାଶ ପାଇଁ ସରକାରୀସ୍ତରରେ ସ୍ବତନ୍ତ୍ର ଯୋଜନା। ତଥାପି ଅନେକ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇଛି। କିନ୍ତୁ ବିକାଶର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଳକରେ। ବର୍ଷ ବର୍ଷ ଧରି କାଠ ଗଣ୍ଡି ସାଜିଛି ଗମନା ଗମନ ଭରସା। ବର୍ଷ ବର୍ଷ ଧରି ବିପଦସଙ୍କୁଳ ଯାତାୟତ କରିଥାନ୍ତି ଟିକାବାଲି ବ୍ଳକ ଗଦଗୁଡା ପଞ୍ଚାୟତର ପେନାଲା ଗ୍ରାମର ଅଧିବାସୀ । ପିଲା ଠାରୁ ଆରମ୍ଭ କରି ବୟସ୍କ। ସମସ୍ତେ ଭାଗ୍ୟକୁ ଆଦିରି ଜୀବନକୁ ବାଜି ଲଗାଇ ଏଭଳି ଚଳାଚଳ କରୁଛନ୍ତି। ଏହି ମାର୍ଗ ନିକଟତର ହେଉଥିବାରୁ କାଠ ଉପରେ ଯାତାୟାତ କରନ୍ତି ବୋଲି ପ୍ରକାଶ କରିଛନ୍ତି । ଏ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ମୌଖିକ ଓ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଫଳଶୂନ ବୋଲି କହିଛନ୍ତି। ନିର୍ବାଚନ ସମୟରେ ଭୋଟ ପାଇଁ ନେତା ଆସି ପୋଲ ଓ ରାସ୍ତା କରିଦେବେ ବୋଲି ପ୍ରତିଶୃତି ଦେଇ ଫେରନ୍ତି । କିନ୍ତୁ ନିର୍ବାଚନ  ସରିଲେ ଆଉ କାହାର ଦେଖା ମିଳେନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପଲ୍ଲୀସଭାରେ ମଧ୍ୟ ଅନେକ ଥର ଗ୍ରମାବାସୀ ରାସ୍ତା ଓ ପୋଲ କଥା ଉଠାଇବା ପରେ କିଛି ଅର୍ଥ ମଂଜୁର ହୋଇଥିଲା। ଯନ୍ତ୍ରୀ ମଧ୍ୟ ଆସି ଗାଁ ବୁଲି ଦେଖି ଯାଇଥିଲେ। କିନ୍ତୁ ପରବର୍ତ୍ତି ସମୟରେ ସବୁ ନିରବ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏ ସମ୍ପର୍କରେ ଗଦଗୁଡ଼ା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କୁ ଏନେଇ ପଚାରା ଯିବାରୁ କହିଛନ୍ତି ଯେ ଯେଉଁ କାଠଗଣ୍ଡି ପକାଇ କିଛି ଗ୍ରାମବାସୀ ଯାତାୟାତ କରୁଛନ୍ତି ତାହା କେବଳ ଜଙ୍ଗଲରୁ କାଠ ଆଣିବାୁ କିମ୍ବା ଗାଈ ଗୋରୁ ଚରାଇବାରେ ବ୍ୟବହାର କରୁଛନ୍ତି। ତେଣୁ ଉକ୍ତ ରାସ୍ତା ପ୍ରତି ଗୁରୁତ୍ୱ ଦିଆଯାଇନାହିଁ। ଯଦି ଅଧିକ ସଂଖ୍ୟାରେ ଅଞ୍ଚଳବାସୀ ଯାତାୟତ କରୁଥାନ୍ତି ତାହାହେଲେ ଏହାର ସମୀକ୍ଷା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ