୫ ଦିନ ପାଇଁ ରାମପୁର ଗାଁ ସଟ୍ ଡାଉନ୍ ହେଲା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମପୁର ଗ୍ରାମର ଜନୈକ ବୃଦ୍ଧ ବ୍ୟକ୍ତି ଥଣ୍ଡା, ଜ୍ୱରରେ ମୃତ୍ୟୁ ବରଣ କରିବା ପରେ ସ୍ଥାନୀୟ ସରପଞ୍ଚ ଶଶୀବାଳା ବେହୁରିଆ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୫ ଦିନ ପାଇଁ ଉକ୍ତ ଗ୍ରାମକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ପ୍ରକାଶ ଯେ, ଗତ ୫ ଦିନ ତଳେ ଉକ୍ତ ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଥଣ୍ଡା, କାଶ, ଛିଙ୍କ ଓ ଜ୍ୱର ହୋଇଥିଲା । ଏସମ୍ପର୍କରେ ପରିବାରଲୋକେ ସରପଞ୍ଚଙ୍କୁ କିଛି ଜଣାଇନଥିଲେ । ଫଳରେ ବୃଦ୍ଧ ବ୍ୟକ୍ତିଙ୍କର ସ୍ୱାବ୍ ପରୀକ୍ଷା ହୋଇପାରିନଥିଲା । ଗତ ରବିବାର ସମ୍ପୃକ୍ତ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତାଙ୍କୁ ଭଦ୍ରକ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କୁ କେହି ଛୁଇଁ ନଥିଲେ । ପରେ ସେଠାରେ ତାଙ୍କର ମୃତ ଦେହକୁ ଦାହ କରାଯାଇଥିଲା । ସମ୍ପୃକ୍ତ ବୃଦ୍ଧ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ସ୍ୱାବ୍ ପରୀକ୍ଷା କରାଯିବା ନେଇ ସରପଞ୍ଚ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି । ଏହି ଘଟଣାକୁ ନେଇ ସରପଞ୍ଚ ଉକ୍ତ ଗ୍ରାମକୁ ୫ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରଛନ୍ତି । ଏନେଇ ବିଡିଓ, ସ୍ଥାନୀୟ ଥାନାକୁ ଅବଗତ କରାଯାଇଛି । ସଟ୍ ଡାଉନ୍ ବେଳେ କପାଳୀ ରୋଡ ଠାରୁ କୁଣ୍ଡଳା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଲୋକ ମାନେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବେ ଏବଂ ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।


