୬ବର୍ଷ ପାଇଁ ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ ହେଲେ ବରିଷ୍ଠ କଂଗ୍ରେସ ନେତା 

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ଚଳିତ ପୌର ନିର୍ବାଚନରେ ଦଳୀୟ କାଉନସିଲର ଓ ପୌରାଧ୍ୟକ୍ଷା ପ୍ରାର୍ଥୀନୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବା ଓ ଦଳୀୟ ଶୃଙ୍ଖଳା ଭଂଗ କରିବା ଅଭିଯୋଗରେ କୋଣାର୍କ ଏନଏସିର ପୂର୍ବତନ କଂଗ୍ରେସ କାଉନସିଲର ତଥା ରାଜ୍ୟ ସୋସିଆଲ ମିଡିଆ ସଂପାଦକ ସୁବାସ ଚନ୍ଦ୍ର ନାୟକଙ୍କୁ ୬ବର୍ଷ ପାଇଁ କୋଣାର୍କ ନଗର କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଛି। ଖବରରୁ ପ୍ରକାଶ ଯେ ଚଳିତ ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନଙ୍କୁ ହରାଇବା ପାଇଁ କାର୍ଯ୍ୟ କରିବା ଓ ଦଳୀୟ ଶୃଙ୍ଖଳା ଭଂଗ କରିବା ଯୋଗୁଁ କଂଗ୍ରେସ ଦଳର ପରାଜୟ ଘଟିଲା ବୋଲି କୋଣାର୍କ ସ୍ଥିତ ନଗର କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନଗର କଂଗ୍ରେସ ସଭାପତି ଉପେନ୍ଦ୍ର କୁମାର କାଣ୍ଡି ପ୍ରକାଶ କରିଛନ୍ତି। ଚଳିତ ପୌର ନିର୍ବାଚନରେ କଂଗ୍ରେସ ଦଳ ନିର୍ବାଚନରେ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ପୂର୍ବତନ କଂଗ୍ରେସ କାଉନସିଲର ତଥା ରାଜ୍ୟ ସୋସିଆଲ ମିଡିଆ ସଂପାଦକ ସୁବାସ ଚନ୍ଦ୍ର ନାୟକ(ନେତୁ) ଙ୍କ ଦଳ ବିରୋଧୀ କାର୍ଯ୍ୟ ମୁଖ୍ୟତଃ ଦାୟୀ ବୋଲି ନଗର କଂଗ୍ରେସ ସଭାପତି ଶ୍ରୀ କାଣ୍ଡି ମତବ୍ୟକ୍ତ କରିଛନ୍ତି। ତାଙ୍କର କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ୬ବର୍ଷ ପାଇଁ ବହିଷ୍କାର କରାଯିବା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା କାକଟପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ବିଶ୍ବଭୂଷଣ ଦାସଙ୍କୁ ଲିଖିତ ଭାବେ କୋଣାର୍କ ନଗର କଂଗ୍ରେସ କମିଟି ପକ୍ଷରୁ ଅବଗତ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଉପନଗରପାଳ ସୁବୋଧ ଖଟୁଆ, କୋଣାର୍କ ନଗର ଯୁବ କଂଗ୍ରେସ ସଭାପତି ସ୍ବାଧୀନ କୁମାର ନାୟକ, ପୂର୍ବତନ ନଗର କଂଗ୍ରେସ ସଭାପତି ଭରତ ଚନ୍ଦ୍ର ପାଢୀ, ପୂର୍ବତନ କଂଗ୍ରେସ କାଉନସିଲର ଭାସ୍କର ଚନ୍ଦ୍ର ସ୍ଵାଇଁ, ୮ନଂ ଓ୍ବାର୍ଡ କଂଗ୍ରେସ କାଉନସିଲର ପ୍ରାର୍ଥୀ ପ୍ରତାପ କୁମାର କାଣ୍ଡିଙ୍କ ସମେତ ୧୩ଗୋଟି ଓ୍ବାର୍ଡର କଂଗ୍ରେସ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ