୭ ଦଫା ଦାବି ନେଇ ବହୁ ଜନ ଛାତ୍ର ଓ ଯୁବ ସାମୁଖ୍ୟ ପକ୍ଷରୁ ଗଣଧାରଣା
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ବହୁଜନ ଛାତ୍ର ଓ ଯୁବ ସାମୁଖ୍ୟ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଗଣଧାରଣା ଦିଆଯିବା ସହିତ ୭ ଦଫା ସମ୍ବଳିତ ଏକ ଦାବିପତ୍ର ତହସିଲଦାର ଜେ.କଳ୍ପନାଙ୍କୁ ପ୍ରଦାନ କରାଯାଇଛି । ଗଣଧାରଣା ସ୍ଥଳକୁ ଅତିରକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ଆସି ଦାବିପତ୍ର ଗ୍ରହଣ କରିବା ସହିତ ଏହାର ତୁରନ୍ତ ସମାଧନ କରାଯିବା ପାଇଁ ଚେଷ୍ଠା କରିବୁ ବୋଲି କହିଥିଲେ । କିନ୍ତୁ ଧାରଣାରତ ମାନେ ତହସିଲଦାରଙ୍କ ସହିତ ଆଲୋଚନା କଲା ପରେ ଧାରଣାରୁ ଓହରିବେ ବୋଲି କହିଥିଲେ । ପରେ ଧାରଣାରତମାନେ ତହସିଲଦାର ଜେ.କଳ୍ପନାଙ୍କ ଭେଟି ଦାବିପତ୍ର ଦେବା ସହିତ ଆଲୋଚନା କରିଥିଲେ । ତହସିଲଦାର ଏହାର ସମାଧାନ ପାଇଁ ଚେଷ୍ଟା କରିବା ସହିତ ଉପରିସ୍ଥ ପଦାଧିକାରୀଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ଦାବି ଗୁଡିକ ମଧ୍ୟରେ ରହିଛି ଜାମୁଗାଁ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକଙ୍କ ନିଯୁକ୍ତି, ଉକ୍ତ ତହସିଲ ଅଧୀନରେ ସମସ୍ତ ଭୂମିହିନମାନଙ୍କୁ ଚିହ୍ନଟ କରାଯାଇ ଭୂମି ପଟ୍ଟା ପ୍ରଦାନ, ବସୁନ୍ଧରା ଯୋଜନାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା, ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ ଆଧାରିତ କେଶ ଗୁଡିକର ପୋଲିସ ପକ୍ଷରୁ ପୀଡିତା/ପୀଡିତ ମାନଙ୍କର ଜାତିଗତ ପ୍ରମାଣପତ୍ର ରିପୋର୍ଟ ପ୍ରଦାନରେ ବିଳମ୍ବ କରା ନଯାଇ ତୁରନ୍ତ ରିପୋର୍ଟ ପ୍ରଦାନ, ନାମଲେଖା ସମୟରେ ଛାତ୍ରଛାତ୍ରୀ ମାନଙ୍କର ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ,ବାସସ୍ଥାନ ପ୍ରମାଣପତ୍ର ଆଦି ନିର୍ଦ୍ଦିଷ୍ଟ ସମୟରେ ପ୍ରଦାନ, ଭୂମିହିନ ମାନଙ୍କର ଜମିପଟ୍ଟା ନଥିବା କାରଣରୁ ଭୂମିହିନମାନେ ଯେପରି ଜାତିଗତ ପ୍ରମାଣପତ୍ରରୁ ବଂଚିତ ନହୁଅନ୍ତି ସେ ଦିଗରେ ଯତ୍ନବାନ ହେବା, ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥା ଶୀଘ୍ର କ୍ଷତି ପୁରଣ ଆଦି ଦାବି ରହିଥିଲା । ଏହି ଗଣଧାରଣାରେ ବହୁ ଜନଛାତ୍ର ଓ ଯୁବ ସାମୁଖ୍ୟ ପକ୍ଷରୁ ବ୍ଳକ ସଂଯୋଜକ ଆଲୋକ ଦାସ, ସୁନିଲ କୁାମର ମଲିକ, ନନ୍ଦନଭୋଇ, ବାବାଜୀ କାଣ୍ଡି, ଯୋଗେନ୍ଦ୍ର କାଣ୍ଡି, ବବୁଲ ଦାସ, ଜିତେନ୍ଦ୍ର ଭୋଇ ଆଦି ଯୋଗ ଦେଇଥିଲେ ।


