ବେଆଇନ ବାଲି ଚୋରା ଚାଲାଣ ବେଳେ ଟ୍ରାକ୍ଟର ସହ ଚାଳକ ଅଟକ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକର ବଛାଳୋ ପଂଚାୟତରେ ଥିବା ପାଳନ୍ଦି ଘାଟରୁ ପ୍ରତ୍ୟେହ ବାଲି ଚୋରା ଚାଲାଣ କରାଯାଉଛି । ଉକ୍ତ ଘାଟଟି ତହସିଲ ପକ୍ଷରୁ ନିଲାମ କରାଯାଇ ନଥିବା ବେଳେ ବେଆଇନ ସ୍ଥାନୀୟ ଚୋରା ବାଲି ମାଫିଆ ବାଲି ବିକ୍ରି କରୁଥିବା ଜଣାଯାଇଛି । ଏସଂପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି କୈାଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନଥିବାରୁ ଚେରା ବାଲି ମାଫିଆମାନେ ସକ୍ରିୟ ହୋଇଥିବା ଜଣାଯାଇଛି । ଦୀର୍ଘ ଦନ ହେବ ଉକ୍ତ ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ବୁଧବାର ରାତିରେ ନାଉଗାଁ ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ବାଲିଘାଟକୁ ଚଢାଉ କରିବା ପାଇଁ ଯାଇଥିଲେ । ଯିବା ସମୟରେ ଏହି ଘାଟରୁ ଏକ ବାଲି ବୋଝେଇ ଟ୍ରାକ୍ଟର ନମ୍ବର ଓଆର ୨୧ ଡି ୧୨୭୯ ବାଲି ଆଣି ତିହୁଡା ଅଭିମୁଖେ ଆସୁଥିଲା । ଉକ୍ତ ବାଲି ଗାଡିକୁ ଅତିରିକ୍ତ ତହସିଲଦାର ଅଟକାଇବା ସମୟରେ ଡ୍ରାଇଭର ବାଲି ଗାଡିଟିକୁ ସେହି ସ୍ଥାନରେ ଅଲୋଡ କରି ଦେଇଥିଲା । ପରେ ଅତିରିକ୍ତ ତହସିଲଦାର ଗାଡି ସହ ଟ୍ରାକ୍ଟର ଚାଳକକୁ ଧରି ଥାନାକୁ ଖବର ଦେଇଥିଲେ । ଥାନା ପକ୍ଷରୁ ଥାନାଧିକାରୀ ଭରତ କୁମାର ବେହେରା ପହଂଚି ଗାଡି ସହ ଚାଳକକୁ ଥାନାରେ ଅଟକ ରଖିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଚୋରା ବାଲି ଗାଡି ଧରାଯିବା ସମୟରେ ତହସିଲ ପକ୍ଷରୁ କେବଳ ବାଲି ଗାଡି ଠାରୁ ଜୋରିମାନା ଆଦାୟ କରାଯାଇ ଗାଡିଟିକୁ ଛାଡି ଦିଆଯାଉଛି । ଗାଡିର ଇନସ୍ୟୁରାନସ, ରୋଡ ଟାକ୍ଟ, ଫିଟନେସ ରହିଛି କି ନାହିଁ ତାହା ତଦନ୍ତ କରାଯାଉନାହିଁ । ଯାହାଫଳରେ ତହସିଲରେ ଜୋରିମାନା ଦେଇ ଚୋରା ବାଲି ମାଫିଆ ମାନେ ପୁନର୍ବାର ବାଲି ଚୋରି କରୁଥିବା ଜଣାଯାଇଛି । ଏସଂପର୍କରେ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ବାଲି ଗାଡି ଧରା ଯାଇଛି ତା ଠାରୁ ଜୋରିମାନା ଆଦାୟ କରାଯିବ । ଗାଡିର ଫିଟନେସ,ଇନସ୍ୟୁରାନସ ଆଦି ଆରଟିଓ କାର୍ଯ୍ୟାଳୟ ତରଫରୁ ତଦନ୍ତ କରାଯିବା କଥା । ଗାଡିର ଆବଶ୍ୟକୀୟ କାଗଜପତ୍ର ନଥିଲେ ତାଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ ବିଷୟରେ ଥାନାଧିକାରୀ ଭରତ କୁମାର ବେହେରାଙ୍କୁ ପଚାରିବାରୁ ବାଲି ଗାଡି ଓ ଚାଳକକୁ ଧରାଯିବା ପରେ ଥାନାରେ ଅଟକ ରଖାଯାଇଛି । ବାଲି ସୌରାତ ଦାୟିତ୍ୱରେ ତହସିଲ ରହିଛି । ସେମାନେ ବାଲି ଗାଡି ଧରି ଆମକୁ ହସ୍ତାନ୍ତର କଲେ ଆମେ ତାଙ୍କୁ ଅଟକାଇ ଥାଉ । ପୂର୍ବରୁ ଧରାଯାଉଥିବା ଚୋରା ବାଲି ଗାଡିକୁ ତହସିଲ ପକ୍ଷରୁ ତହସିଲଦାର ଫାଇନ କାଟି ଗାଡିକୁ ରିଲିଜ କରିବା ପାଇଁ ଆମକୁ ଚିଠି କରନ୍ତି । ଯାହାଦ୍ୱାରା ଆମେ ଗାଡିକୁ ରିଲିଜ କରୁ । ଯେହେତୁ ଗାଡିର ଆବଶ୍ୟକୀୟ କାଗଜପତ୍ର ଯାଂଚ ସଂପର୍କରେ ଚିଠିରେ ଉଲ୍ଲେଖ କରନ୍ତି ନାହିଁ । ସେଥିପାଇଁ ଆମେ ଗାଡି ଅଟକାଇ ପାରିବୁ ନାହିଁ ବୋଲି କହିଥିଲେ ।


