୨ ଡାକ୍ତରଖାନାର ସ୍ୱାସ୍ଥ୍ୟ କର୍ମଚାରୀ କରୋନା ଆକ୍ରାନ୍ତ

ହିଞ୍ଜିଳିକାଟୁ, (ୱାଇଏନଏସ): ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟ ସଂଖ୍ୟା ଆଶାତୀତ ଭାବେ ବଢିବାରେ ଲାଗିଛି । ରାଜ୍ୟରେ ବୁଧବାର ସୁଦ୍ଧା ୭୫୪୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩୫୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତମାନ ସୁଦ୍ଧା ୨୧୫୭ ସଂକ୍ରମିତ ଅଛନ୍ତି । କରୋନା ପ୍ରବଣ ଗଞ୍ଜାମ ଜିଲ୍ଲାର ସ୍ଥିତି ସମ୍ପୁର୍ଣ୍ଣ ଅଣାୟତ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହରୁ ଅଧିକ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୂଇଁଛି । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିକାଟୁ ସହର ମଧ୍ୟ ଏଥିରୁ ବାଦ୍ ପଡ଼ିନି ।ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମଧ୍ୟ ବହୁ ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ରହିଥିବା ଏବଂ ସଂକ୍ରମିତ ରହିଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସୁତ୍ରରୁ ସୂଚନା ମିଳିଛି । ସ୍ଥାନୀୟ ବ୍ଳକର ବିଭିନ୍ନ ପଂଚାୟତରେ ସ୍ଥିତି ନିୟନ୍ତ୍ରାଣଧିନ ରହିଥିବା କୁହାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ ରହିଥିବା ଜଣାପଡ଼ିଛି । ତେବେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଜଣେ ଆଟେଣ୍ଡାଂଟ ଓ ସ୍ଥାନୀୟ ବ୍ଳକ ସମରଝୋଳ ଗ୍ରାମ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଜଣେ କର୍ମଚାରୀ କରୋନା ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ସଂପୃକ୍ତ ୨ ଡ଼ାକ୍ତରଖାନାର ଡ଼ାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିବା ସହ ଭୟଭୀତ ଥିବା ଜଣାପଡ଼ିଛି । ଜୁନ୨୫ ତାରିଖରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଜଣେ ୪୨ ବର୍ଷ ବୟସ୍କ କର୍ମଚାରୀ ଜ୍ଜରରେ ପିଡ଼ିତ ଥିଲେ । ସଂପୃକ୍ତ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା ପରେ ପଜିଟିଭ ଥିବା ଜଣାପଡ଼ିଥିଲା । ପରବର୍ତି ଅବସ୍ଥାରେ ଚିକିତ୍ସା ସକାଶେ ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀ କୋଭିଡ଼-୧୯ ହସପିଟାଲରେ ଭର୍ତି ହୋଇଥିବା ସଂପୃକ୍ତ ଚକ୍ଷୁ ଚିକିତ୍ସାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ମହାନ୍ତି କହିଛନ୍ତି । ପରେ ଚିକିତ୍ସାଳୟକୁ ସାନିଟାଇଜ କରାଯିବା ସହ ଚିକିତ୍ସାଳୟକୁ ଆସୁଥିବା ସମସ୍ତ ରୋଗୀଙ୍କ ଥର୍ମାଲ ସ୍କ୍ରିନିଂ ଏବଂ ସମସ୍ତ ପ୍ରକାର ସରକାରୀ ନିୟକୁ ପାଳନ କରିବା ସହ ଆବ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି , ୫୦% କର୍ମଚାରୀଙ୍କ ସହାୟତାରେ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବା ସହ ଚିକିତ୍ସାଳୟର କର୍ମଚାରୀ ମାନଙ୍କୁ ଦିନେ ଛାଡ଼ି ଦିନେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିବା ଚିକିତ୍ସାଳୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ମହାନ୍ତି କହିଛନ୍ତି । ଉକ୍ତ ଘଟଣା ପରେ ସଂପୃକ୍ତ ଚକ୍ଷୁ ଚିକିତ୍ସାଳୟକୁ କିଛି ଦିନ ପାଇଁ ବନ୍ଦ ରଖିବା ପାଇଁ କିଛି କର୍ମଚାରୀ ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ଆଟେଣ୍ଡାଟ କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ସଂପୃକ୍ତ କର୍ମଚାରୀଙ୍କୁ ଚିକିତ୍ସା ସକାଶେ ହିଞ୍ଜିଳିକାଟୁ କୋଭିଡ଼-୧୯ ହସପିଟାଲରେ ଭର୍ତି କରାଯାଇଛି । ବର୍ତମାନ ସଂପୃକ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସାଧିକାରିଣୀ ଡ଼ାକ୍ତର ପ୍ରତିଭା ପାତ୍ରଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ସୂଚନା ମୁତାବକ ରାଜ୍ୟରେ ୨ଶହରୁ ଉର୍ଦ୍ଧ୍ୱ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ହିଞ୍ଜିଳିକାଟୁ ଥାନା ଅଂଚଳର ପ୍ରଥମେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଆକ୍ରାନ୍ତ ପରେ ବର୍ତମାନ ସ୍ଥାନୀୟ ଉପଖଣ୍ଡ ଚିକିତ୍ସଳୟ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ କର୍ମଚାରୀ କରୋନାରେ ଆକ୍ରାନ୍ତ ପରେ ଅଂଚଳବାସୀ ଭୟଭୀତ ରହିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ