ଗଜପତିରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ
ପାରଳାଖେମୁଣ୍ଡି ,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ରାଜ୍ୟ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିୟାନ ଯୋଗ ଦେଇ ଜାତୀୟ ପତାକା ଉୋଳନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଅନୁପମ ସାହା ଏସପି ସାରା ଶର୍ମା ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରିଛନ୍ତି। ପ୍ୟାରେଡ଼ରେ ବିଭିନ୍ନ ଅନୁଷ୍ଠାନର ୨୫ ଟି ଦଳ ଅଂଶଗ୍ରହଣ କରିଥିବା ବେଳ ସରକାରଙ୍କ ବିଭିନ୍ନ ଯୋଜନାର ବାର୍ତ୍ତା ବହନ କରିଆସୁଥିବା ୧୦ ରୁ ଉର୍ଦ୍ଧ୍ବ ପ୍ରଦର୍ଶନୀ ରଥ ଭ୍ରମଣ କରିଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ଆକୃଷ୍ଟ କରିଥିଲା। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ମନ୍ତ୍ରୀ ପଦ୍ମିନୀ ଦିୟାନ। ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏହି ସମାରୋହରେ ଯୋଗ ଦେଇ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ପରେ ମନ୍ତ୍ରୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଗସ୍ତ କରି ପ୍ରସୂତି ବିଭାଗ ବୁଲି ଦେଖିଥିଲେ, ଛୋଟ ଛୋଟ ଶିଶୁଙ୍କୁ ଧରି ଫଳ ଓ ମିଷ୍ଟାନ୍ନ ଖୁଆଇଥିଲେ, ମହାରାଜା କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରି ଥିଲେ ପରେ ବେତାଗୁଡା ସ୍ଥିତ ରିଜର୍ଭ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିବା ଉଡାନ ପ୍ରଶିକ୍ଷଣ ଶିବିର ପରିଦର୍ଶନ କରି ଯୁବକ ଯୁବତୀଙ୍କୁ ସାକ୍ଷାତ କରିଥିଲେ।


