କ୍ରିଶ-୪ରେ ଦୀପିକା
ମୁମ୍ବାଇ : ରାକେଶ ରୋଶନ ନିର୍ଦ୍ଦେଶିତ ଓ ତାଙ୍କ ପୁଅ ହ୍ରିତିକ ରୋଶନ ଅଭିନୀତ ‘କ୍ରିଶ’ ସିରିଜର ୪ର୍ଥ ଭାଗ କାମ ଆଗେଇବାରେ ଲାଗିଛି । ବିଦେଶରୁ ୟୁନିଟ ଲୋକ ଆସି ମୁମ୍ବାଇରେ ସେଟ୍ ସଜାଇବା କାମରେ ଲାଗିପଡ଼ିଛନ୍ତି । କାହାଣୀର ଶେଷ ପର୍ଯ୍ୟନ୍ତ ଲେଖା ସାରିଥିବା ବେଳେ ଏବେ ଅଭିନେତ୍ରୀଙ୍କ ନାମ ମନୋନୀତ ହେବ । ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ କ୍ରିଶ-୪ରେ ଦୀପିକା ପାଦୁକୋନ ଅଭିନୟ କରିପାରନ୍ତି । କ୍ରିଶର ପ୍ରଥମ ଭାଗ ‘କୋଇ ମିଲ୍ ଗୟା’ରେ ହି୍ରତିକ ଓ ପ୍ରୀତି ଜିଣ୍ଟା ଅଭିନୟ କରିଥିଲେ । ଏହାର ପରବର୍ତ୍ତୀ ଦୁଇଟି ଭାଗରେ ପ୍ରିୟଙ୍କା ଚୋପ୍ରା କାମ କରିଥିବା ବେଳେ ଚତୁର୍ଥ ଭାଗ ପାଇଁ ପ୍ରିୟଙ୍କାଙ୍କର ଆଦୌ ଆଗ୍ରହ ନାହିଁ । କାରଣ ବିଦେଶୀ ରାଇଜରେ ସେ ଘର ସଂସାର କରିସାରିଥିବା ବେଳେ ଏବେ ହଲିଉଡ଼ ପ୍ରୋଜେକ୍ଟ ପ୍ରତି ସେ ଅଧିକ ଆଗ୍ରହୀ । ଏଣୁ ରାକେଶ ରୋଶନ, ପ୍ରିୟଙ୍କାଙ୍କୁ ବାରମ୍ବାର ଅନୁରୋଧ କରିବାକୁ ଉଚିତ ମଣୁନାହାନ୍ତି । ଏପରି ସ୍ଥଳେ ବର୍ତ୍ତମାନ ସମୟରେ ଦୀପିକା ଅନ୍ୟତମ ଆଗଧାଡ଼ିର ଅଭିନେତ୍ରୀ ଭାବେ ଜଣାଯାଉଛନ୍ତି । ଦୀପିକା ମଧ୍ୟ କାହାଣୀ ଶୁଣି ସବୁଜ ସଙ୍କେତ ଦେଇଥିବା ୟୁନିଟ୍ ସଦସ୍ୟ ପ୍ରକାଶ କରିଛନ୍ତି ।


