ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ନିର୍ବନ୍ଧ ପାଇଁ ବଧୁ ଘରକୁ ଯାତ୍ରା କରୁଥିବା ସିଲ୍କି ସିଟି ବସର ଉପର ଡାଲାରେ ୧୧ କେଭି ବିଦ୍ୟୁତ ତାର ଲାଗି ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ ମେଡିକାଲରେ ପହଞ୍ଚିବା ପୂର୍ବରୁ ଆଉ ଜଣେ ଗୁରୁତର ଆହାତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକଙ୍କ ନାମ ୟୁ.ଦେବରାଜ ବୋଲି ଜଣାପଡିଛି । ରବିବାର ଦିନ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଡଙ୍କଲପାଟୁରୁ ଘରୋଇ ବସ୍ ଚିକରଡାକୁ ଅଭିମୁଖେ ଯାଉଥିବା ବେଳେ ମେଣ୍ଡରାଜପୁର ଗାଁ ରାସ୍ତାରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁର ବଡ ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ମୋଟ ମୃତ୍ୟୁ ସଂଖ୍ୟା ୯ ଜଣଙ୍କର ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ୍ୱ ଆହାତ ହୋଇଥିଲେ । ସେଥି ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥଲା ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ କଟକ ମେଡିକାଲରେ ପହଞ୍ଚିବା ପୂର୍ବରୁ ଜଣେ ଗୁରୁତର ହୋଇଥିବା ୟୁ.ଦେବରାଜଙ୍କ ମୃତ୍ୟୁ ହୋଇଛି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଗ୍ରାମର ଶ୍ମସାନରେ ଏକକାଳୀନ ଜୁଇ ଜଳିଛି । ।ଏଭଳି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।


