ମହେନ୍ଦ୍ରଗିରି ଜାଗରଯାତ୍ରାକୁ ଶୃଙ୍ଖଳାରସହ ପରିଚାଳନା କରିବାକୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ମହେନ୍ଦ୍ରଗିରି ପାଦଦେଶରେ ବସବାସ କରିଆସୁଥିବା ସ୍ଥାନୀୟ ଅଧିବାସୀ ତଥା ବିଶ୍ୱବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚର କର୍ମକର୍ତ୍ତାମାନେ ଆସି ଆଗାମୀ ଶିବରାତ୍ରୀରେ ହେବାକୁଥିବା ଯାଗର ଜାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବାପାଇଁ ପାରଳାଖେମୁଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରଶାସନକୁ ନିବେଦନ ଜଣାଇଛନ୍ତି । ମୁଖ୍ୟତଃ ମହେନ୍ଦ୍ରଗିରି ଶିଖର ଠାରୁ ବୁରୁଖତ ପର୍ଯ୍ୟନ୍ତ ଯାତ୍ରା ସମୟରେ ପ୍ରବଳ ଭିଡ ଜମୁଥିବାବେଳେ ସେମାନଙ୍କୁ ଏହି ମଞ୍ଚର କର୍ମକର୍ତ୍ତାମାନେ ସେବା ଯୋଗାଇଥାନ୍ତି । ମାତ୍ର ଏହି ସେବା ଯୋଗାଇବା ସମୟରେ କିଛିଟା ସମସ୍ୟା ସୃଷ୍ଟି ହେଉଛି ବୋଲି କର୍ମକର୍ତ୍ତାମାନେ ପ୍ରଶାସନକୁ ଜଣାଇଛନ୍ତି । ମଞ୍ଚର କହିବା ମୁତାବକ ଯାତ୍ରା ସମୟରେ ଉଠାଦୋକାନୀମାନେ ମନଇଚ୍ଛା ଗଛ ଆଣି କୁଡିଆ ନିର୍ମାଣ କରୁଛନ୍ତି ଯାହାକି ଯାତ୍ରାପରେ ସେଠାରେ ଅପରିସ୍କାର ହେଉଛି ଏବଂ ସେଠାରେ ଅଗ୍ନି ସଂଯୋଗ କଲେ ଜଙ୍ଗଲର କ୍ଷତି ଘଟୁଛି । ପରିତ୍ୟକ୍ତ ଆବର୍ଜନା ଯୋଗୁଁ ମନ୍ଦିର ଭିତର ଓ ବାହାରେ ପରିବେଶ ଦୁଷିତ ହେଉଛି । ମାଦକ ଦ୍ରବ୍ୟ, ଆମିଷ ଅଣ୍ଡା, ବିରିଆନି ଇତ୍ୟାଦି ବିକ୍ରି ହେଉଥିବାରୁ ଏହି ପବିତ୍ର ସ୍ଥାନର ମର୍ଯ୍ୟାଦା ନଷ୍ଟ ହେଉଛି । ମାଦକ ଦ୍ରବ୍ୟ ପାନ କରି ବୋତଲ ଭାଙ୍ଗିବା ଦ୍ୱାରା ଭକ୍ତମାନଙ୍କ ଯତାୟତରେ ବିପଦ ସୃଷ୍ଟି ହେଉଛି । ସେହିପରି ସଂକୀର୍ଣ୍ଣ ଅଙ୍କାବଙ୍କା ରାସ୍ତା ଏବଂ ଛୋଟମୋଟ ପଥର ଯୋଗୁଁ ଲକ୍ଷାଧିକ ଭକ୍ତଙ୍କ ଶୃଙ୍ଖଳା ଦୃଷ୍ଟିରୁ ଯାନବାହାନ ଉପରକୁ ନଛାଡିବାକୁ ମଧ୍ୟ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି । ତିନି ଚାରୋଟି ସ୍ଥାନରେ ଭକ୍ତଙ୍କ ପାଇଁ ଆଲୋକ ବ୍ୟବସ୍ଥା ସହ ରହଣୀ ପାଇଁ ଟେଣ୍ଟ ବ୍ୟବସ୍ଥା କରିବାକୁ ନିବେଦନ କରାଯାଇଛି । ଯାତ୍ରୀ ନିବାସକୁ ଆକସ୍ମିକ ରୋଗୀ ଏବଂ ଛୋଟ ଶିଶୁଙ୍କ ଉପକାରରେ ବ୍ୟବହାର କରିବାକୁ ନିବେଦନ ହୋଇଛି । ଜାଗର ଯାତ୍ରା ଶାନ୍ତିଶୃଙ୍ଖଳାର ସହ ପାଳନ କରିବାପାଇଁ ପ୍ରଶାସନର ସହଯୋଗ ଆବଶ୍ୟକ ଏବଂ ଉପରୋକ୍ତ ସମସ୍ୟାର ସମାଧାନ କରାଯାଉ ବୋଲି ବିଶ୍ୱବସୁ ଶବର ସଂସ୍କୃତି ମଞ୍ଚର ସଭାପତି କୃପାସିନ୍ଧୁ ପାଟ ଭୂୟାଁ ବିଶିକେଶନ କାର୍ଯୀ, ନୀର ଭୂୟାଁ, ଭାସ୍କର ମଣ୍ଡଳ, ସନ୍ୟାସୀ କାର୍ଯୀ, ଲୋବା ଭୂୟାଁ, ରାଜେଶ ଶବର ପ୍ରମୁଖ ପ୍ରଶାସନକୁ ନିବେଦନ କରିଛନ୍ତି । ଯାତ୍ରା ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏହି ସଭ୍ୟମାନେ ପାରଳାଖେମୁଣ୍ଡି ପୋଲିସ ଏସ୍.ଡି.ପି.ଓ. ପ୍ରକାଶ ଚନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଥିଲେ ।


