କଲେଜ ସମ୍ମୁଖରୁ ଛାତ୍ରୀଙ୍କୁ ଉଠାଇ ନେଲେ, ନଗର ଛାତ୍ର ସଭାପତିଙ୍କ ସଂପୃକ୍ତି ଅଭିଯୋଗ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଗଂଜାମ ଜିଲ୍ଲା ହିଂଜିଳି ଥାନା ଅଂଚଳରେ ଶନିବାର ପୂର୍ବାହ୍ନରେ ଘଟିଛି ଏକ ଚାଂଚଲ୍ୟକର ଘଟଣା । ସ୍ପଷ୍ଟ ଦିବାଲୋକରେ ଜନଗହଳି ପୁର୍ଣ୍ଣ ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରୁ ଜଣେ +୩ ଶେଷ ବର୍ଷ ଛାତ୍ରୀଙ୍କୁ, ୨ ଯୁବକ ଜୋର ଜବରଦସ୍ତ ଉଠାଇନେବା ଘଟଣା ସ୍ଥାନୀୟ ଅଂଚଳରେ ବେଶ ଆଲୋଡ଼ନ ସୃଷ୍ଟି କରିଛି । ଘଟଣାରେ ହିଞ୍ଜିଳିକାଟୁ ନଗର ଛାତ୍ର ସଭାପତି ସବିର କୁମାର ପଣ୍ଡା (ରିଙ୍କୁ)ଙ୍କ ସହ ଅନ୍ୟ ଜଣେ ସହଯୋଗୀଙ୍କ ସଂପୃକ୍ତି ଥିବା ଛାତ୍ରୀଙ୍କ ପିତା ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ହିଂଜିଳି ଥାନା ନଂ- ୫୪/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ଶନିବାର ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ +୩ ପରୀକ୍ଷା ଚାଲୁ ରହିଥିଲା । ଛାତ୍ରୀ ଜଣକ ପରୀକ୍ଷା ଦେବାକୁ କଲେଜକୁ ଆସୁଥିବା ବେଳେ କଲେଜ ସମ୍ମୁଖରେ ହଠାତ ୨ ଜଣ ଯୁବକ ମୋଟର ସାଇକେଲରେ ଆସି, ଛାତ୍ରୀଙ୍କୁ ଜୋର ଜବରଦସ୍ତ ବାଇକରେ ନେଇ ଚମ୍ପଟ ମାରିଥିଲେ । ଖବର ଲେଖା ହେବା ସୁଦ୍ଧା ଛାତ୍ରୀଙ୍କ କୌଣସି ସନ୍ଧାନ ମିଳି ପାରିନାହିଁ । ତେବେ ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ ତନାଘନା ଚଲାଇଛି । ଅନ୍ୟ ପକ୍ଷରେ ହିଂଜିଳି ଅଂଚଳରେ ଶନିବାରର ଏଭଳି ଘଟଣା ପରେ ଅଭିଭାବକ ମହଲରେ ଭୟର ବାତାବରଣ ଦେଖାଦେଇଛି । ଘଟଣା ନେଇ ଶାସକ ଦଳ ତଥା ହିଞ୍ଜିଳିକାଟୁ ନଗର ଛାତ୍ର ସଭାପତିଙ୍କ ସଂପୃକ୍ତି ଥିବା ଅଭିଯୋଗ ପରେ ଗଂଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସବିରଙ୍କୁ ଦଳର ସଭାପତି ପଦ ତଥା ପ୍ରାଥମିକ ସଭ୍ୟ ପଦରୁ ବହିସ୍କାର କରାଯାଇଥିବା ନେଇ ଏକ ପ୍ରେସ ଇସ୍ତହାରରେ ଜଣାଇଛନ୍ତି । ଘଟଣା ନେଇ ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜିତ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ଘଟଣା ନେଇ ପୋଲିସକୁ ଅବଗତ କରାଯାଇଛି, ଏଥିରେ କଲେଜ କର୍ତୁପକ୍ଷଙ୍କ କୌଣସି ଭୂମିକା ନାହିଁ ।


