ଇଣ୍ଡିଆନ ବ୍ୟାଙ୍କ ଟେମ୍ପୋରାରୀ ଏମ୍ପ୍ଲଇଜ ୟୁନିୟନର ସମ୍ମିଳନୀ
ଭୁବନେଶ୍ୱର : ଇଣ୍ଡିଆନ ବ୍ୟାଙ୍କ ଟେମ୍ପୋରାରୀ ଏମ୍ପ୍ଲଇଜ ୟୁନିୟନ, ଓଡ଼ିଶାର ଦ୍ୱିତୀୟ ତ୍ରୈବାର୍ଷିକ ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀକୁ ଉଦ୍ଘାଟନ କରି ସିଟୁର ରାଜ୍ୟ ସଭାପତି ସାଥୀ ଜନାର୍ଦ୍ଦନ ପତି କହିଥିଲେ ଯେ, ବର୍ତ୍ତମାନର କେନ୍ଦ୍ର ସରକାର ଶ୍ରମ ଆଇନ୍ର ଯେଉଁ ସଂଶୋଧନ କରିବାକୁ ଯାଉଛନ୍ତି ତାଦ୍ୱାରା ଅସ୍ଥାୟୀ କର୍ମଚାରୀମାନଙ୍କର କୌଣସି ଅଧିକାର ରହିବ ନାହିଁ । ଏହା ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ ଗଢି ତୋଳିବାକୁ ପଡ଼ିବ । ଇଣ୍ଡିଆନ ବ୍ୟାଙ୍କ ଏମ୍ପ୍ଲଇଜ ଫେଡ଼େରେସନର ସର୍ବଭାରତୀୟ ସମ୍ପାଦକ ସାଥୀ ରଞ୍ଜନ ରାଜ କହିଥିଲେ ଯେ, ସାରା ଦେଶରେ କେବଳ ଇଣ୍ଡିଆନ ବ୍ୟାଙ୍କରେ ୪୦୦୦ରୁ ଉର୍ଦ୍ଧ୍ୱ ଟେମ୍ପୋରାରୀ କର୍ମଚାରୀ ଦୀର୍ଘ ୨୦ ବର୍ଷ ଧରି କାମ କରି ଆସୁଛନ୍ତି । ସେମାନଙ୍କୁ ସ୍ଥାୟୀ କରିବା ପାଇଁ ଟ୍ରିବୁନାଲର ନିର୍ଦ୍ଦେଶ ଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଲାଗୁ କରୁନାହାଁନ୍ତି । ଯଦି ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ନ ନିଅନ୍ତି ସାରା ଦେଶରେ ଇଣ୍ଡିଆନ ବ୍ୟାଙ୍କର କର୍ମଚାରୀମାନେ ଆନ୍ଦୋଳନକୁ ଯିବେ ।
ଏହି ସମ୍ମିଳନୀକୁ ଏଓବିଇଏଫ୍ ସାଧାରଣ ସମ୍ପାଦକ ସାଥୀ ପ୍ରକାଶ ରାୟ, ସଭାପତି ସାଥୀ ସୁଶିଲ ଗିରି, ସିଟୁର ଗଞ୍ଜାମ ଜିଲ୍ଲା ସଭାପତି ସାଥୀ ପ୍ରତାପ ଚନ୍ଦ୍ର ଚୌଧୁରୀ, ଏଓବିଇଏଫ୍ର ଉପଦେଷ୍ଟା ସାଥୀ ପ୍ରଦୀପ ଷଡ଼ଙ୍ଗୀ, ଏବିଇସିସିର ସମ୍ପାଦକ ସାଥୀ ତ୍ରିନାଥ ସାହୁ ଓ ଅନ୍ୟମାନେ ଉଦ୍ବୋଧନ ଦେଇ ସଂଗଠନକୁ ସୁଦୃଢ କରିବା ପାଇଁ ଉପଦେଶ ଦେଇଥିଲେ ।