ଗଜପତିରେ ନିର୍ମାଣ ଶ୍ରମିକଙ୍କ ସେବା ସପ୍ତାହ ଆରମ୍ଭ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷ ଠାରେ ଓଡିଶା ସରକାରଙ୍କ ରାଜ୍ୟ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଅଧିନସ୍ଥ ଜିଲାସ୍ତରୀୟ ସେବା ସପ୍ତାହ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ଶ୍ରମ ଅଧିକାରୀ ମହେଶ୍ୱର ନାୟକ ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ନିର୍ମାଣ କ୍ଷେତ୍ରରେ ଶ୍ରମିକମାନଙ୍କ ତ୍ୟାଗ ଅତୁଳନୀୟ ଏବଂ ସେମାନଙ୍କ ପରିଶ୍ରମ ଯୋଗୁଁ ଦେଶର ନିର୍ମାଣ ଓ ବିକାଶ ଦୃତଗତିରେ ଆଗେଇ ଚାଲିଛି ବୋଲି ସେ କହିଥିଲେ । ତେଣୁ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ ବୋଲି ସେ କହିଥିଲେ । ପ୍ରତ୍ୟେକ ବ୍ଲକ ଓ ଗ୍ରାମାଞ୍ଚଳରେ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ସେମାନେ ଯେପରି ଜାଣିପାରିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମାଞ୍ଚଳ ଶ୍ରମ ନିରୀକ୍ଷକ ଏସ୍.ପଦ୍ମନାଭ ଦୋରା, ଶ୍ରମିକ କଲ୍ୟାଣ ପ୍ରଶାସକ ଏସ୍.କେ.ସାହୁ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରମିକମାନଙ୍କ ପୁଅ-ଝିଅଙ୍କ ପାଠପଢା ସହାୟତା ଅନୁଦାନ ବାବଦରେ ୧୯୩୮ଜଣଙ୍କୁ ୯୮ଲକ୍ଷ ୭୨ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ବିବାହ ପାଇଁ ୩୯ଜଣଙ୍କୁ ୧୫ଲକ୍ଷ ୨୫ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଶ୍ରମ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ପବିତ୍ର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।


