କରୋନା ପାଇଁ ବେପାର ବଣିଜ ମାନ୍ଦା, ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା,
ହାଟଡ଼ିହି : କରୋନା ଭୁତାଣୁ ପାଇଁ ସମଗ୍ର ଦେଶରେ ଆତଙ୍କର ବାତାବରଣ ଖେଳି ଯାଇଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଜାତୀୟ ବିପତ୍ତି ଘୋଷଣା କରିଛନ୍ତି । ଏପରିକି ସ୍କୁଲ, କଲେଜ ବନ୍ଦ ସହିତ କେନ୍ଦୁୁଝର ଜିଲ୍ଲାରେ ୧୪୪ଧାରା ଜାରି କରାଯାଇଥିବାରୁ ଛକ ବଜାର ଗୁଡିକରେ ଜନ ଗହଳି ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ବେପାର ବଣିଜ ସମ୍ପୁର୍ଣ୍ଣ ବନ୍ଦ ହେବାକୁ ବସିଲାଣି । ଏହି ବ୍ଲକର ଛେନାପଦି, ହାଟଡିହି, ଜଗନ୍ନାଥପୁର, ଶାଳଣିଆଁ, ଢ଼େଙ୍କା, ବିଦ୍ୟାଧରପୁର ଆଦି ସ୍ଥାନରେ ଆଉ ଭିଡ ପରିଲଖିତ ହେଉ ନାହିଁ । ଯେଉଁ ବ୍ୟବସାୀମାନେ ଦିନକୁ ଲକ୍ଷାଧିକ ଟଙ୍କାର କାରବାର କରୁଥିଲେ ସେମାନେ ଏବେ ୧୦ହଜାର ଟଙ୍କାର ବିକ୍ରୀବଟା କରିବା କଷ୍ଟ ହୋଇ ପଡୁଛି ବୋଲି କହୁଛନ୍ତି । ତେଣୁ କିପରି ସେମାନେ ବ୍ୟବସାୟ ଚଳାଇବେ ଓ କର୍ମଚାରୀମାନଙ୍କୁ ପାରିଶ୍ରମିକ ଦେବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ସେହିପରି ବାହାର ରାଜ୍ୟରେ ରହି କାମ କରୁଥିବା ଲୋକମାନେ ଏବେ କରୋନା ଭୟରେ ଘରକୁ ପଳାଇ ଆସୁଥିବାରୁ ସେମାନେ କେତେଦୁର ସୁସ୍ଥ ଅଛନ୍ତି ଏହାକୁ ନେଇ ଗ୍ରାମବାସୀମାନେ ପ୍ରଶ୍ନ କରୁଛନ୍ତି । ମହାରାଷ୍ଟ୍ର, ବାଙ୍ଗାଲୋର, ଅହମଦାବାଦ, ହାଇଦ୍ରାବାଦ ପ୍ରଭୃତି ସ୍ଥାନରୁ ଶହଶହ ଯୁବକ ଘରକୁ ପଳାଇ ଆସୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିହାତି ଜରୁରୀ ଓ ସେମାନଙ୍କ ନାମ ପଞ୍ଜିକରଣର ବ୍ୟବସ୍ଥା କାଯାଇଥିବାବେଳେ ବାହାରୁ ଫେରୁଥିବା ଲୋକମାନେ ତାହା କରୁନଥିବା ଜଣାଯାଇଛି । । କାଳେ ସେମାନଙ୍କ ଭିତରୁ କେହି କରୋନାରେ ଆକ୍ରାନ୍ତ ହୋଇଥାଇ ପାରେ ତେଣୁ ସେଥିପାଇଁ ସ୍ୱାସ୍ଥ୍ର୍ୟ ପରୀକ୍ଷା କରିବାକୁ ଗ୍ରାମବାସୀମାନେ କହୁଥିବାବେଳେ ସଂପୃକ୍ତ ବ୍ୟକ୍ତି ମାନେ ଏହାକୁ କର୍ଣ୍ଣପାତ କରୁନଥିବାରୁ କିଛି ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଆଜି ବିଭିନ୍ନ ବ୍ୟାଙ୍କରେ କରୋନା ପାଇଁ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ୟାଙ୍କ ଭିତରକୁ ୪ଜଣରୁ ଉର୍ଦ୍ଧ ଗ୍ରାହକଙ୍କୁ ଛଡା ଯାଉ ନଥିବାବେଳେ ଗହଳିକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି । କିନ୍ତୁ ବ୍ୟାଙ୍କ ବାହାରେ ଗ୍ରାହକମାନଙ୍କ ବସିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଗ୍ରାହକମାନେ ନାନା ଅସୁବିଧା ଭୋଗ କରୁଛନ୍ତି ।