ବଡପଳସା ସଂଗରୋଧ କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ଯୋଗାଣ ଅଭିଯୋଗ

ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କୋଭିଡ-୧୯’ ସଂଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସରକାରୀ ଖାଦ୍ୟ ତାଲିକା ଅନୁସାରେ ଖାଦ୍ୟ ପରିବେସଣ କରାନଯାଇ ଖାଦ୍ୟ ପ୍ରସ୍ତୁତି ଦାୟିତ୍ୱରେ ଥିବା ମା’ତାରିଣୀ ସ୍ୱୟଂସହାୟିକା ଗୋଷ୍ଠି ପକ୍ଷରୁ ମନ ଇଚ୍ଛା ଯାହା ପାଉଛନ୍ତି ପରଶି ଚାଲିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଂଗରୋଧରେ ରହିଥିବା ପ୍ରବାସୀ ମାନେ। ବର୍ତମାନ ଲୋକଡାଉନର ଜରୁରୀକାଳିନ ପରିସ୍ଥିରେ କେତେକ ବ୍ୟକ୍ତି ବା ସଂଗଠନ ପକ୍ଷରୁ ଲୋକଙ୍କ ଦୁର୍ଦ୍ଧଶା ଓ କଷ୍ଟକର ପରିସ୍ଥିତିକୁ ଦେଖି ସ୍ୱଇଚ୍ଛାରେ ହାତଖୋଲି ସହଯୋଗ କରିଚାଲୁଥିବା ଦେଖିବାକୁ ମିଳୁଛି।ଏତିକିବେଳେ ଏହି ଜରୁରୀ କାଳୀନ ପରିସ୍ଥିତିକୁ କେତେକ ଲୋକେ ଉପାର୍ଜନର ଏକ ସୁଯୋଗ ପରି ଦେଖୁଛନ୍ତି।ସରକାରଙ୍କ ତରଫରୁ ଲୋକ ଡାଉନରେ ଲୋକେ ଯେପରି ଅସୁବିଧାର ସମ୍ମୁଖିନ ନହୁଅନ୍ତୁ ସେଥିପାଇଁ ବିଭିନ୍ନ ପ୍ରକାରର ଯୋଜନାରେ ଲୋକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।ହେଲେ ଏସବୁ ସୁବିଧା ସୁଯୋଗ ଯୋଗାଇବା ଦାୟିତ୍ୱରେ ଥିବା କେତେକ ଅଧିକାରୀ ଓ ସଂଗଠନ ଲୋକଙ୍କ ଅସୁବିଧାକୁ ଅଣଦେଖା କରିବା ସହିତ କେମିତି ଅଧିକରୁ ଅଧିକ ଲୁଟ୍ କରିପାରିବେ ପ୍ରାଣପଣେ ଚେଷ୍ଟା ଚଳାଇଥିବା ଦେଖିବାକୁ ମିଳୁଛି।ଏପରି ଅଭିଯୋଗ ଆସିଛି ବଡପଳସା ଗ୍ରାମପଞ୍ଚାୟତ କୋଭିଡ-୧୯’ ସଂଗରୋଧ କେନ୍ଦ୍ରରୁ ସଂଗରୋଧରେ ରହିଥିବା ପ୍ରବାସୀଙ୍କୁ ସରକାରୀ ତାଲିକାକୁ ଅଣଦେଖା କରିବା ସହ ସବୁଦିନ ଗୋଟିଏ ପ୍ରକାରର ଖାଦ୍ୟ ଦିଆଯିବା ସହିତ ଦିନରେ ତିନିଥର ସକାଳ ଜଳଖିଆରେ ମୁଢୀ ସହିତ ଆଳୁ,ମୋଟର ତରକାରୀ,ଦ୍ବିପ୍ରହର ଖାଦ୍ୟରେ ଭାତ ସହିତ ଆଳୁ,ମୋଟର ତରକାରୀ ଓ ରାତ୍ରୀ ଭୋଜନରେ ମଧ୍ୟ ଆଳୁ, ମୋଟର ତରକାରୀ ଦିଆଯାଉଥିବା ବେଳେ ଜିହ୍ବା ରୁଚୀ ପାଇ ଆଚାର ମଧ୍ୟ ଦିଆ ଯାଉନଥିବା ଅଭିଯୋଗ ହୋଇଛି।ବେଳେବେଳେ ସକାଳ ଜଳଖିଆରେ ମୁଢି ସହିତ ଦୁଇଟି କଞ୍ଚା ବିଲାତି ଓ ଫାଳେ ପିଆଜ ଦିଆଯାଇଥାଏ।ଫଳରେ ପ୍ରବାସୀ ମାନେ ବାଧ୍ୟବାଧକତାରେ ଜବଦସ୍ତି ଖାଉଥିଲେ ମଧ୍ୟ ଗୋଟିଏ ପ୍ରକାରର ଖାଦ୍ୟ ଖାଇ ଅରୁଚୀ ହେଉଥିବାରୁ ଖାଇ ନପାରି ଯେତିକି ଖାଉଛନ୍ତି ତା’ଠୁ ଅଧିକ ବହୁମାତ୍ରାରେ ଖାଦ୍ୟ ଫିଙ୍ଗି ଦିଆଯାଉଛି।କେତେଜଣ ସ୍ବାର୍ଥପର,ଲୋଭି ପ୍ରକୃତିର ବ୍ୟକ୍ତିଙ୍କ ପାଇଁ ଜଜରୁରୀକାଳିନ ପରିସ୍ଥିତିରେ ଲୋକଙ୍କ କ୍ଷୁଦ୍ଧା ମେଣ୍ଟାଇ ଜୀବନ ରକ୍ଷାକରୁଥିବା ଅମୂଲ୍ୟ ଅନ୍ନକୁ ଫୋପାଡି ଦିଆଯିବା ଦୁଃଖର ବିଷୟ।ଏନେଇ ସଂଗରୋଧରେ ଥିବା ପ୍ରବାସୀମାନେ ବଡପଳସା ସରପଞ୍ଚ ଓ ସଂଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ’ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା।ଏହିପରି ଅନ୍ୟାନ୍ୟ ସଂଗରୋଧ କେନ୍ଦ୍ରରୁ ମଧ୍ୟ ଖାଦ୍ୟ ପରିବେସଣକୁ ନେଇ ଅଭିଯୋଗ ଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଦୁଃଖର ବିଷୟ। ତେବେ ପ୍ରବାସୀଙ୍କ ସହିତ ପଶୁ ସଦୃଶ୍ୟ ବ୍ୟବହାର କରା ନଯାଇ ଦିଆଯାଉଥିବା ଖାଦ୍ୟରେ ସ୍ୱାଦ ପରିବର୍ତ୍ତନ କରାଯାଇ ରୁଚିକର ହେଲାପରି ଖାଦ୍ୟ ପରସା ଯିବାକୁ ସାଧାରଣରେ ଦାବି ହେଉଛି।ତା’ଛଡା ଦାୟିତ୍ୱରେ ଥିବା ବ୍ଲକ ଅଧିକାରୀମାନେ ସଂଗରୋଧ କେନ୍ଦ୍ରସବୁକୁ ନିରୀକ୍ଷଣରେ ଯାଇ ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ଗୁଡିକର ଯାଞ୍ଚ କରାଯିବାକୁ ମଧ୍ୟ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ