ଫନି ମୁଗଚାଷୀଙ୍କ ସହାୟତାରେ ଚଂଚକତା ପ୍ରସଂଗ ତଦନ୍ତ ଦାବି କଲେ ଗଜରାଜପୁର ପଂଚାୟତର ଶହ ଶହ ଚାଷୀ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତରେ ଗତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରକୃତ ମୁଗ ଚାଷୀଙ୍କୁ ସରକାରୀ ସାହାଯ୍ୟରୁ ବଂଚିତ କରାଯାଇଛି । ଏପରିକି ଗୋଟିଏ ପରିବାର ସମସ୍ତ ସଦସ୍ୟଙ୍କ ନାମରେ ଏହି ସହାୟତା ପ୍ରଦାନ କରାଯାଇଥିବାକୁ ନେଇ ମଙ୍ଗଳବାର ପଂଚାୟତର ଶତାଧିକ ଚାଷୀ ନାଉଗାଁ ବ୍ଳକ କୃଷି କାର୍ଯ୍ୟାଳୟ ଘେରାଉ କରିବା ସହିତ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କରଛନ୍ତି । ଚାଷୀ ମାନଙ୍କର ଦାବିକୁ ସମର୍ଥନ ଜଣାଇ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗଜରାଜପୁର ପଂଚାୟତର ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସ, ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ-ସଂଯୋଜକ ଅଶୋକ ସ୍ୱାଇଁ ଆଦି ଚାଷୀ ମାନଙ୍କ ସହ ଉପସ୍ଥିତ ରହିଥିଲେ । ଚାଷୀ ଅଶୋକ କୁମାର ବାହାଲିଆ, ମନୋଜ କୁମାର ଦାସ, ମମତା ଦାସ, ବାବାଜୀ ପଲେଇ, ରଂଜନ ଭୋଇ, ଦେବେନ୍ଦ୍ର ଜେନା, ଶ୍ରୀ ଚରଣ ମଲିକ, କାଳନ୍ଦି ଦାସଙ୍କ ସମେତ ଶତାଧିକ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ରକୁ ନାଉଗାଁ ବ୍ଳକ ସହ କୃଷି ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଗଜରାଜପୁର ସହ କୃଷି ଅଧିକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ନାଉଗାଁ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ ଦାବି ପତ୍ରକୁ ଗ୍ରହଣ କରିଥିଲେ । ଏହାର ଏକକିତା ନକଲ ଜଗତସିଂହପୁର ଉପ କୃଷି ନିର୍ଦ୍ଦେଶକ, ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ, ସଚିବ, କୃଷି ଓ କୃଷକ ସଶକ୍ତିକରଣ, ଓଡିଶା ଓ କୃଷିମନ୍ତ୍ରୀ, ଓଡିଶାଙ୍କୁ ପ୍ରେରଣ କରାଯାଇଛି । ଗତ ଫନି ବାତ୍ୟାରେ କୃଷି ବିଭାଗ ତରଫରୁ ଉକ୍ତ ପଂଚାୟତରେ ମୁଗ ଫସଲର କ୍ଷୟକ୍ଷତି ହୋଇଥିବା ଚାଷୀମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଥିଲା । ପରବର୍ତୀ ସମୟରେ କିଛି ସ୍ୱାର୍ଥପର ବ୍ୟକ୍ତି ଓ କୃଷି ବିଭାଗ ଅଧିକାରୀଙ୍କ ସଲାସୁତରାରେ ଉପଯୁକ୍ତ ଚାଷୀଙ୍କୁ କ୍ଷତିପୁରଣ ନଦେଇ ଗୋଟିଏ ପରିବାରରେ ସମସ୍ତ ସଦସ୍ୟଙ୍କ ସମେତ ଅବିବାହିତ ପୁଅ,ଝିଅଙ୍କ ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଛନ୍ତି । ଯାହାଦ୍ୱାରା ପ୍ରକୃତ ଚାଷୀ କ୍ଷତି ପୁରଣ ପାଇବାରେ ବଂଚିତ ହୋଇଛନ୍ତି । ତେଣୁ ଏହାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ଚାଷୀଙ୍କୁ କ୍ଷତି ପୁରଣ ଦେବା ସହ ତାଲିକା ପ୍ରଦାନରେ ତୋଷାରପାତ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ପତ୍ରରେ ଦର୍ଶା ଯାଇଛି । ପ୍ରକାଶ ଯୋଗ୍ୟ ଯେ ଗତ କାଲି ସୋମବାର କ୍ଷତି ପୁରଣ ପାଇବାରୁ ବଂଚିତ ହୋଇଥିବା ଚାଷୀମାନେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କ୍ଷତିପୁରଣ ଦାବିରେ ବିଡିଓ ରଶ୍ମିରେଖା ମଲିକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।


