ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି
ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁଁ ବାହାରେ ଦେଶରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । ଏହା ସତ୍ତ୍ୱେ ବି ବହୁ ଓଡ଼ିଆ ବିଭିନ୍ନ ଦେଶରେ ଫସି ରହିଛନ୍ତି । ତେବେ ବିଭିନ୍ନ ଦେଶରେ ଫସିରହିଥିବା ଓଡିଆମାନଙ୍କୁ ସିଧା ଭୁବନେଶ୍ୱରକୁ ଫେରାଇଆଣିବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁବାଇ, ଦୋହା, ମସ୍କଟ, ବାହାରିନ, କଲମ୍ବୋ ଓ ଲଣ୍ଡନରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ବିମାନ ଯୋଗେ ଫସିରହିଥିବା ଓଡ଼ିଆଙ୍କୁ ଫେରାଇଆଣିବାକୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଉପସାଗରୀୟ ଦେଶ ସମୂହ, ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସିରହିଥିବା ଓଡ଼ିଆମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବିମାନ ସେବାର ବିଶେଷ ବ୍ୟବସ୍ଥା କରିବା ଆବଶ୍ୟକ । କରୋନା ସମୟରେ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ବିଦେଶରେ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକ, ଛାତ୍ର ଓ ପ୍ରଫେସନାଲମାନଙ୍କୁ ସ୍ବଦେଶ ଫେରାଇଆଣିବାକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ଫେରାଇ ଆଣିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।


