ଦୌଡି ପଳାଇଲେ ୧୨ଜଣ ଜବତ ହେଲା ୪୦ ଲକ୍ଷ ଟଙ୍କାର ଗଂଜେଇ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳରୁ ବାହାରକୁ କମୁନି ଗଞ୍ଜେଇ ଚାଲାଣ। କରୋନା ଲକ୍ ଡାଉନ ପାଇଁ ୩-୪ ମାସ ହେଲା ପୁଲିସର ଧରପଗଡ ହେବା ଫଳରେ ଗଞ୍ଜେଇ ନଷ୍ଟ ହେବାକୁ ବସିଲାଣି। ଯେ କୌଣସି ଉପାୟରେ ଗଞ୍ଜେଇ ବିକ୍ରି କରିବାକୁ ଚାଷୀ ଚାହିଁ ବସିଥିବା ବେଳେ ମାଫିଆମାନେ ବି ଟିକେ କମ୍ ମୂଲ୍ୟରେ କିଣିବାକୁ ସଜାଗ ଅଛନ୍ତି। ଏବେ ଲକ୍ ଡାଉନ କୋହଳ ହେବା ପରେ ମାଫିଆମାନେ ଗଞ୍ଜେଇ ଚାଲାଣ ପାଇଁ ମଉକା ପାଇ ଯାଇଛନ୍ତି। ୪ ସପ୍ତାହ ହେଲା ବିଭିନ୍ନ ଥାନା ପୁଲିସ ପକ୍ଷରୁ ଧରପଗଡ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ଗାଡି ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫରେ ପୁଲିସ କର୍ମଚାରୀ ବି ରହିଛନ୍ତି।ଗୋଛାପଡା ପୁଲିସକୁ ଶୁକ୍ରବାର ଦିନ ଏକ ବଡ ସଫଳତା ମିଳିଛି। ପାଇରାଜୁ ପଞ୍ଚାୟତ ଡେସଆରୁ ଗାଁର ବେଞ୍ଜି କହଁରଙ୍କ ବାଡିରେ ବିପୁଳ ପରିମାଣର ଗଞ୍ଜେଇ ମହଜୁତ ଅଛି। ମାଫିଆମାନେ ନେବାକୁ ସେଠାରେ ଡେରା ପକାଇଛନ୍ତି। ଏଭଳି ଖବର ବିଶେଷ ସୁତ୍ରରୁ ମିଳିବା ପରେ ଏସପି ପ୍ରତୀକ ଗୀତା ସିଂଙ୍କ ନିର୍ଦ୍ଦେଶମତେ ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ଓ ଗୋଛାପଡା ଥାନାଧିକାରୀ ତୃପ୍ତିରଂଜନ ନାୟକ ଅଚାନକ ସେଠାରେ ଚଢାଉ କରିଥିଲେ। ପୁଲିସକୁ ଦେଖି ୧୨ ଜଣ ଅଭିଯୁକ୍ତ ଦୌଡି ପଳାଇ ଯାଇଥିବା ବେଳେ ବିଞ୍ଜେ କହଁର ଓ ବଡଗା ଦିଗାଲ ନାମକ ୨ ଜଣଙ୍କୁ ଗିରଫ କରାଯାଇଥିଲା।ଜବତ ଗଞ୍ଜେଇ ୨୦ କ୍ବିଣ୍ଟାଲ ୨୦ କିଲୋ।। ଏହାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଫେରାରମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଶ୍ରୀ ମୁର୍ମୁ କହିଛନ୍ତି। କେଶ ନଂ ୩୫/୨୦୨୦ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସଂପ୍ରତି କନ୍ଧମାଳରୁ ଅଧିକରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ ରୋକିବା ନିମନ୍ତେ ପୁଲିସର ଧରପଗଡ ଆହୁରି ଜୋରସୋର ହେବା ଜରୁରୀ ହୋଇ ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ