ବ୍ଲକ ସ୍ତରୀୟ କୋଭିଡ୍‌-୧୯ ସଚେତନତା କାର୍ଯ୍ୟକ୍ରମ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଚିଠି ମୂଳେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନର ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲଙ୍କ ଚିଠି ନଂ-୧୧୩୯(୩୪୪) ତା-୨-୭-୨୦ରେ ସମସ୍ତ ପିଡି, ଡିଆରଡିଏ ଓ ବିଡିଓ ମାନଙ୍କୁ କୋଭିଡ୍‌-୧୯ ମହାମାରୀର ତ୍ରିସ୍ତରୀୟ ବ୍ୟବସ୍ଥା ଅନୁଯାୟୀ ସଠିକ୍ ପରିଚାଳନା କରିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ନିର୍ଦ୍ଦେଶ ହୋଇଥିଲା । ସେହିଅନୁସାରେ ଶନିବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ରେବେକା ବିଲୁଙ୍ଗଙ୍କ ସଭାପତିତ୍ୱ ଏବଂ ଜିପିଇଓ ନିଶିକାନ୍ତ ଖୁଣ୍ଟିଆଙ୍କ ସଂଯୋଜନାରେ ସରପଞ୍ଚ, ନୋଡାଲ ଅଫିସର, ଏନ.ଜି.ଓ ଏବଂ ଜିପିଏଲଏଫ ଲିଡରର୍ସ ମାନଙ୍କର ପୃଥକ ପୃଥକ ଭାବେ ୱାର୍ଡ ସ୍ତରରୁ କିପରି କୋଭିଡ-୧୯ର ସଠିକ୍ ଓ ସଫଳ ପରିଚାଳନା କରାଯାଇ କୋଭିଡ୍‌-୧୯ ସଂକ୍ରମଣ ରୋକା ଯାଇ ପାରିବ ସେ ବିଷୟରେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ବିଡିଓ ରେବେକା ବିଲୁଙ୍ଗ ସରକାରୀ ନୂଆ ରଣନୀତି ଅନୁଯାୟୀ ତୃଣମୂଳ ସ୍ତରରୁ ୱାର୍ଡ କମିଟି ସଭ୍ୟ, ସଭ୍ୟା ମାନଙ୍କୁ ସଚେତନ କରାଯାଇ କୋଭିଡ୍‌-୧୯ ଯୁଦ୍ଧରେ କିପରି ବିଜୟୀ ହୋଇ ପାରିବା ସେ ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଞ୍ଚାୟତର ଶିକ୍ଷାନୁଷ୍ଠାନ ମାନଙ୍କରୁ ଟି.ଏମ୍‌.ସି ଉଚ୍ଛେଦ କରାଯାଇ ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ ୧୦ଟି ଶର୍ଯ୍ୟାକୁ ନେଇ କରାଯିବ । ୱାର୍ଡ କମିଟି ନିଜ ନିଜ ୱାର୍ଡରେ ଥଣ୍ଡା, କାଶ, ତଣ୍ଟି ବ୍ୟଥା, ଜ୍ୱର ପ୍ରଭୃତି ଲକ୍ଷଣ ଦେଖା ଯିବା ବ୍ୟକ୍ତିଙ୍କୁ କୋଭିଡ କେୟାର ହୋମରେ ରଖିବା ବ୍ୟବସ୍ଥା କରାଇବେ । ସେଠାରେ ଯଦି ଦେହ ଅସୁସ୍ଥ ଦେଖାଯାଏ ସେମାନଙ୍କର ନମୁନା ପରୀକ୍ଷା କରାଯାଇ ପଜେଟିଭ୍ ବାହାରିଲେ କୋଭିଡ୍ ହସପିଟାଲ ପଠାଯିବ । ନେଗେଟିଭ୍ ବାହାରିଲେ ତାଙ୍କୁ ଘରକୁ ପଠାଇ ଦିଆଯିବ । ଗ୍ରାମ ପଞ୍ଚାୟତ ସ୍ତରୀୟ କୋଭିଡ୍ କେୟାର ହୋମରେ ସନ୍ଦେହ ଜନକ ସ୍ଥିତିରେ ଥିବା ଲୋକ ମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ପର୍ଯ୍ୟବେକ୍ଷଣରେ ରଖି ଚିକିତ୍ସା କରିବେ । ୱାର୍ଡ ସ୍ତରରେ ଆଶା, ଅଙ୍ଗନୱାଡି କର୍ମୀ ମାନେ ଘର ଘର ବୁଲି ସର୍ବେକ୍ଷଣ କରିବେ । ପ୍ରତି ୱାର୍ଡର ୱାର୍ଡ କମିଟି ନିଜ ନିଜ ୱାର୍ଡର ଲୋକ ମାନଙ୍କୁ କୋଭିଡ୍‌-୧୯ ସଂକ୍ରମଣ ନହେବା ପାଇଁ ସଚେତନ କରିବେ । ସନ୍ଦେହଜନକ ଲକ୍ଷଣ ଦେଖାଗଲେ କୋଭିଡ କେୟାର ହୋମକୁ ରେଫର କରିବେ । ସମସ୍ତ ସଚେତନତା କାର୍ଯ୍ୟକ୍ରମରେ ୱାର୍ଡ ସ୍ତର, ଗ୍ରାମ ପଞ୍ଚାୟତ ସ୍ତର ଓ ବ୍ଲକ ସ୍ତରର ଅଧିକାରୀ ମାନେ ସାମିଲ ହୋଇ କୋଭିଡ୍ ଯୁଦ୍ଧରେ ଜୟଯୁକ୍ତ ହେବାକୁ ବିଡିଓ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସରପଞ୍ଚ, ସ୍ୱେଚ୍ଛାସେବୀ ସଙ୍ଗଠନ, ଆଶା, ଅଙ୍ଗନୱାଡି କର୍ମୀ, ୱାର୍ଡସଭ୍ୟସଭ୍ୟା, ସମିତି ସଭ୍ୟସଭ୍ୟା, ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ଜିପିଏଲଏଫ ଲିଡରର୍ସ, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟସଭ୍ୟା, ଏମ୍‌.ବି.କେ.ଏସ୍‌, ସିଆରପି୍‌, ଗଣାମଧ୍ୟମ ପ୍ରତିନିଧି ସାମିଲ ହୋଇ ସଚେତନ କାର୍ଯ୍ୟକ୍ରମକୁ ବ୍ୟାପକ କରିପାରିଲେ କୋଭିଡ୍‌-୧୯ ଯୁଦ୍ଧରେ ଜୟଯୁକ୍ତ ହୋଇ ପାରିବା ବୋଲି ବିପିଏମ୍ ବୀଣାପାଣି ପଣ୍ଡା ମତବ୍ୟକ୍ତ କରିଥିଲେ । ପୃଥକ ପୃଥକ ସଚେତନତା କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସରପଞ୍ଚ, ନୋଡାଲ ଅଫିସର, ଜିପିଏଲଏଫ ଲିଡରର୍ସ, ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି, ଦିସା, ମିରାକଲ୍‌, ହାପି କ୍ଲବ, ଡି.ଡବ୍ଲ୍ୟୁ.ସି.ସି, ଉଷା ଆଦି ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ରସ୍ମିତା ସାହୁ, ସସ୍ମିତା ଦାସ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ