୩.୫ଲକ୍ଷରୁ ଊଦ୍ଧ୍ୱର୍ ଜଳ ସଂରକ୍ଷଣ ପଦକ୍ଷେପ
ଜଳ ଶକ୍ତି ଅଭିଯାନ ଦେଶବ୍ୟାପୀ ସକ୍ରିୟ ଏକ ମାସ ମଧ୍ୟରେ ନିଆଗଲା ୩.୫ଲକ୍ଷରୁ ଊଦ୍ଧ୍ୱର୍ ଜଳ ସଂରକ୍ଷଣ ପଦକ୍ଷେପ ଜଳ କ୍ଳୀଷ୍ଟ ଜିଲ୍ଲାଗୁଡ଼ିକ ସମେତ ସାରା ଦେଶରେ ଜଳ ନିରାପତା ବୃଦ୍ଧି କରିବାର ପ୍ରୟାସ ସ୍ୱରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଶକ୍ତି ଅଭିଯାନ ଆରମ୍ଭ କରାଯାଇଥିଲା । ମାତ୍ର ଗୋଟିଏ ମାସ ମଧ୍ୟରେ ଏହି ଅଭିଯାନ ଅର୍ନ୍ତଗତ ୨୫୬ଟି ଜିଲ୍ଲାରେ ୩.୫ ଲକ୍ଷରୁ ଊଦ୍ଧ୍ୱର୍ ଜଳ ସଂରକ୍ଷଣ ପଦକ୍ଷେପ ହାତକୁ ନିଆଯାଇଛି । ଏଥିମଧ୍ୟରେ ୧.୫୪ ଲକ୍ଷ ଜଳ ସଂରକ୍ଷଣ ଓ ବର୍ଷା ଜଳ ପରିଚାଳନା ପ୍ରକଳ୍ପ, ୨୦ ହଜାର ପାରମ୍ପରିକ ଜଳ ଉତ୍ସର ପୁନରୁଦ୍ଧାର କାର୍ୟ୍ୟ, ୬୫ ହଜାର ଜଳ ପୁନଃଉପଯୋଗ ଓ ରିଚାର୍ଜ ପ୍ରକଳ୍ପ ଓ ୧.୨୩ ଲକ୍ଷ ଜଳ ଛାୟା ବିକାଶ ପ୍ରକଳ୍ପ ରହିଛି । ଏହି ଅଭିଯାନରେ ଆନୁମାନିକ ୨.୬୪ କୋଟି ଲୋକ ଅଂଶଗ୍ରହଣ କରି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି । ପ୍ରୟାସର ଏକ ଅଂଶବିଶେଷ ସ୍ୱରୂପ ୪.୨୫ କୋଟି ଚାରା ରୋପଣ କରାଯାଇଛି । ଆଜି ନୂଆଦିଲ୍ଲୀଠାରେ କ୍ୟାବିନେଟ ସଚିବ ଜଳ ଶକ୍ତି ଅଭିଯାନର ପ୍ରଥମ ପର୍ୟ୍ୟାୟର ଫଳାଫଳ ସମୀକ୍ଷା କରିବା ପରେ ଏହି ଘୋଷଣା କରାଯାଇଛି । ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର କ୍ୟାବିନେଟ ସଚିବ ପ୍ରଦୀପ କୁମାର ସିହ୍ନା ଏହି ଅଭିଯାନର ନୋଡାଲ ଅଧିକାରୀମାନଙ୍କ ପ୍ରୟାସ ଓ ସଂକଳ୍ପବଦ୍ଧତାକୁ ପ୍ରଶଂସା କରିଥିଲେ । ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ଓ ପଦକ୍ଷେପ ଜରିଆରେ ଆବଶ୍ୟକ ପରିବର୍ତନ ଆଣିବା ଲାଗି ଜିଲ୍ଲାଗୁଡ଼ିକ ସହ ମିଶି କାର୍ୟ୍ୟ କରିବା ଲାଗି ସେ ନୋଡାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଜଳ ଶକ୍ତି ଅଭିଯାନ ସାରା ଦେଶରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଛି । ଆଗାମୀ ବର୍ଷଗୁଡ଼ିକରେ ଏହା ଉତମ ଫଳ ପ୍ରଦାନ କରିବ । ଆମର ଲକ୍ଷ୍ୟ ହେଉଛି ଏହାର ଲାଭ ତୃଣମୂଳସ୍ତରରେ ଥିବା କୃଷକମାନଙ୍କ ନିକଟରେ ପହଁଚାଇବା । ପାନୀୟ ଜଳ ଓ ସ୍ୱଚ୍ଛତା ମନ୍ତ୍ରଣାଳୟର ସଚିବ ଶ୍ରୀ ପରମେଶ୍ୱରନ ଆୟାର କହିଥିଲେ ଯେ ଜଳ ଶକ୍ତି ଅଭିଯାନ ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି, ଭୂମିଜ ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି, ଚାଷ ଜମିରେ ମୃତିକା ଆର୍ଦତା ଓ ବୃକ୍ଷ ସଂଖ୍ୟା ବୃଦ୍ଧିରେ ସହାୟତା ମିଳିପାରୁଛି । ଜଳ ଶକ୍ତି ଅଭିଯାନ ହେଉଛି ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ରାଜ୍ୟ ସରକାରଙ୍କ ସହଭାଗୀ ପଦକ୍ଷେପ ତଥା ଏହା ମୁଖ୍ୟତଃ ଏକ ଜଳ ସଂଚୟ ଅଭିଯାନ, ଯାହା ଗତ ଏକ ମାସ ମଧ୍ୟରେ ଅଭୂତପୂର୍ବ ପ୍ରଗତି ହାସଲ କରିଛି । ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କ ୧୩ଶହ ଅଧିକାରୀ ସାମିଲ ରହିଛନ୍ତି । ସେମାନେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ମିଶି ୩ ଲକ୍ଷରୁ ଊଦ୍ଧ୍ୱର୍ କ୍ଷେତ୍ର ପରିଦର୍ଶନ କରିଛି । ଏହି ଅଭିଯାନରେ ଜଳ ସଂରକ୍ଷଣ ଦିଗରେ କାର୍ୟ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ମଧ୍ୟ ସାମିଲ କରାଯାଇଛି ।


