ବକେୟା ଅର୍ଥ ପାଇଁ ଅପହୃତ ଠିକାଦାରଙ୍କୁ ଉଦ୍ଧାର କଲା ପାରାଦ୍ୱୀପ ପୋଲିସ ୨ ଗିରଫ, ଜଣେ ଫେରାର
ପାରାଦ୍ୱୀପ, (ପୀତବାସ ପ୍ରଧାନ):ପାରାଦ୍ୱୀପରେ ବକେୟା ଅର୍ଥ ଆଦାୟକୁ କେନ୍ଦ୍ରକରି ଏକ ଅପହରଣ ଓ ମାରଧର ଅଭିଯୋଗରେ ୨ଜଣଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ପାରାଦ୍ୱୀପ ଆଦର୍ଶ ଥାନା ପୋଲିସ । ପାରାଦ୍ୱୀପ ଥାନା ଅଧିକାରୀ ରଜନୀକାନ୍ତ ସାମଲ ସୂଚନା ଅନୁଯାୟୀ କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଅନୁଜ କୁମାର ପଣ୍ଡା (୩୪)ଙ୍କ ଏକ ପ୍ରୋକ୍ଲିନ୍ ମେସିନ୍ ଅଏଲ୍ ଟର୍ମିନାଲ ରୋଡସ୍ଥିତ ବାଉରିଆପାଳନ୍ଦା ନିକଟରେ ଗ୍ୟାସ ପ୍ଳାଣ୍ଟ କାର୍ଯ୍ୟରେ ଲାଗିଥିଲା । ଏହି ମେସିନ୍ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପାଣ୍ଡରା ଗ୍ରାମର ବିଶ୍ୱଜିତ୍ ମହାପାତ୍ର ଠିକାଦାରଙ୍କ କାର୍ଯ୍ୟରେ ଭଡା ସୂତ୍ରରେ ଲାଗିଥିଲା । ଏ ବାବଦକୁ ବିଶ୍ୱଜିତ୍ ମାସକୁ ମାସ ଭଡା ଟଙ୍କା ଅନୁଜଙ୍କୁ ଦେବାକୁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା । ହେଲେ ଦୀର୍ଘ ଦିନ ହେବ ମେସିନ୍ ଭଡା ବାବଦକୁ ଲକ୍ଷାଧିକ ଟଙ୍କା ବକେୟା ରଖିଥିଲେ ବିଶ୍ୱଜିତ୍ । ଦୀର୍ଘ ଦିନ ହେବ ଟଙ୍କା ମାଗି ନିରାଶ ହେବା ପରେ ଗତ ଗୁରୁବାର ମେସିନ୍ ଲାଗିଥିବା ସାଇଟ୍କୁ ଯାଇଥିଲେ ଅନୁଜ । ସେଠାରେ ବିଶ୍ୱଜିତଙ୍କ ସୁପରଭାଇଜର ଶୁଭ୍ରାଂଶୁ ପରିଡାଙ୍କୁ ମାରଧର କରିବା ଅଞ୍ଚଳରେ ତାଙ୍କର କାନ୍ଧ ହାଡ ଭାଙ୍ଗିଯାଇଥିଲା । ଏହାପରେ ଅନୁଜ ତାଙ୍କର ସହଯୋଗୀ ତିର୍ତ୍ତୋଲ ଥାନା କେରକେରା ଅଞ୍ଚଳର ପ୍ରକାଶ ମହାନ୍ତିଙ୍କ ସହ ମିସି ଏକ ଇଣ୍ଡିଗୋ ଗାଡି ନମ୍ବର ଓଡି୨୧ଏ-୪୧୧୪ରେ ଠିକାଦାର ବିଶ୍ୱଜିତ୍ଙ୍କୁ ଉଠାଇ ଆଣିଥିଲେ । ବିଶ୍ୱଜିତ୍ଙ୍କୁ ଅଶରି ଅନୁଜ ଇଫ୍କୋ ଛକ ନିକଟରେ ଥିବା ତାଙ୍କ ଅଫିସକୁ ନେଇଥିଲେ । ଏବଂ ସେଠାରେ ବନ୍ଧକ ରଖି ନିଜ ବକେୟା ଅର୍ଥ ପାଇଁ ଦାବି କରିଥିଲେ । ଏ ବାବଦରେ ସଂପୃକ୍ତ ଠିକାଦାରଙ୍କ ସୁପରଭାଇଜରଙକ ଠାରୁ ଅଭିଯୋଗ ପାଇ ପୋଲିସ ସଂପୃକ୍ତ ଠିକଣାରେ ପହଞ୍ôଚ ବିଶ୍ୱଜିତଙ୍କୁ ଉଦ୍ଧାର କରିବା ସହ ଅନୁଜ ଓ ପ୍ରକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବଂ ଏ ବାବଦରେ ପାରାଦ୍ୱୀପ ଆଦର୍ଶ ଥାନାରେ ଏକ କେସ୍ ନମ୍ବର ୧୦୪/୧୬.୭.୨୦ ଅଣ୍ଡର ସେକ୍ସନ ୩୪୧/୩୪୨/୨୬୪/୩୨୩/୩୨୫/୩୬୫/୫୦୬ ଆଇପିସି ଦାୟାର ହୋଇଥିବା ଥାନାଅଧିକାରୀ ଶ୍ରୀ ସାମଲଙ୍କ ଠାରୁ ପ୍ରକାଶ । ତେବେ ଶିଳ୍ପ ଓ ବନ୍ଦର ସହରରେ ବେକାରୀ ଓ ବେରୋଜଗାରୀଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧିପାଇ ଚାଲିଥିବା ବେଳେ, କିଛି ଯୁବକ ନିଜ ଜୀବିକା ପାଇଁ ବହୁ କଷ୍ଟରେ ଟ୍ରକ, ମେସିନ୍, ଟ୍ରାକଟର ଇତ୍ୟାଦି ଋଣରେ ଆଣି ସ୍ଥାନୀୟ ଅଞ୍ଚଳରେ ଛୋଟବଡ ଠିକାଦାରଙ୍କ ପାଖରେ ଲଗାଇଥାନ୍ତି । କିନ୍ତୁ ସଂପୃକ୍ତ ଠିକାଦାର କମ୍ପାନୀରୁ ତାଙ୍କର ପାଉଣା ଠିକଣା ସମୟରେ ପାଉଥିବା ବେଳେ ତାଙ୍କ ଅଧିନରେ ଲାଗିଥିବା ଏହି ସବୁ ଯାନର ଭଡା ସମୟାନୁଯାୟୀ ଦେଉନଥିବାରୁ ଏହି ଗାଡିମାନଙ୍କର ମାଲିକ ମାନେ ଠିକାଣା ସମୟରେ ସେମାନଙ୍କର ଋଣ କିସ୍ତି ନ ଦେଇପାରି ହନ୍ତସନ୍ତ ହେଉଥିବାର ଦେଖାଯାଉଛି । ଯାହାକି ସାଧାରଣରେ ବେସ୍ ଅସନ୍ତୋଷ ସୃଷ୍ଟି କରୁଥିବାର ଦୃଷ୍ଟିଗୋଚର ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଉପରୋକ୍ତ ଘଟଣା ।