୮ ମାସ ବିତିଲା, ବାତ୍ୟା ସହାୟତା ପାଇଲେନି ଚାଷୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଗତ ନଭେମ୍ବର ୨୦୧୯ରେ ବାତ୍ୟା ବୁଲ୍‌ବୁଲ୍‌ର ପ୍ରଭାବ ବନ୍ତ ବ୍ଳକରେ ପରିଲକ୍ଷିତ ହୋଇଥିଲା । ଶହ ଶହ ଏକର ଚାଷ ଜମିରେ ଧାନଗଛ ଗୁଡିକ ପାଣିରେ ପଡିଯାଇଥିବା ବେଳେ ଫୁଲ ଖେଳାଉଥିବା ଧାନ ଗଛ ଗୁଡିକ ପବନରେ ନଷ୍ଟ ହୋଇଥିଲା । ବାତ୍ୟା କ୍ଷୟକ୍ଷତି ସଂପର୍କରେ ଉଭୟ ତହସିଲ ଓ କୃଷି ବିଭାଗର କର୍ମଚାରୀ ମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ । ରିପୋର୍ଟ ଅନୁଯାୟୀ ଗତ ୬ ମାସ ତଳେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କ ଚୁଡାନ୍ତ ତାଲିକା ପ୍ରକାଶ ପାଇ ସାରିଛି । ପ୍ରକାଶିତ ତାଲିକାରେ ୩ ହଜାର ୨ ଶହ ୯ ଜଣ କ୍ଷତିଗ୍ରସ୍ତ ଚାଷୀ ଅଛନ୍ତି । କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ଦେବା ନେଇ ରାଜ୍ୟ ସରକାର ବନ୍ତ ତହସିଲକୁ ୪ କୋଟି ୧୧ ଲକ୍ଷ ୬୦ ହଜାର ୭ ଶହ ୬୭ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୪ ଲକ୍ଷ ୩୬ ହଜାର ୮ ଶହ ୨୬ ଟଙ୍କା ଚାଷୀ ମାନଙ୍କୁ ପ୍ରଦାନ କରାଯାଇଥିବା କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ପ୍ରକାଶିତ ତାଲିକାରେ ନାମ ଥିବା ଚାଷୀମାନେ କ୍ଷତିପୂରଣ ପାଇନଥିବାରୁ ବାରମ୍ବାର ତହସିଲ କାର୍ଯ୍ୟାଳୟ ଦୌଡୁ ଥିବାର ଦେଖାଯାଇଛି । ଅପରପକ୍ଷେ ବନ୍ତରେ ପିଏନବି, ୟୁକୋ ଏବଂ ସେଣ୍ଢତୀରାରେ ଷ୍ଟେଟବ୍ୟାଙ୍କ ଶାଖା ଥିବା ବେଳେ ତହସିଲ ପକ୍ଷରୁ ଆକ୍‌ସିସ ବ୍ୟାଙ୍କରେ କ୍ଷତିପୂରଣ ଟଙ୍କା ଜମା କରିଥିବାରୁ ତାହା ଚାଷୀଙ୍କ ଏକାଉଣ୍ଟକୁ ଆସିବାରେ ବିଳମ୍ବ ହେଉଥିବା ଜଣାଯାଇଛି । କ୍ଷତିପୂରଣ ପାଇନଥିବା ଚାଷୀ ମାନଙ୍କୁ ତୁରନ୍ତ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ନବ ନିର୍ମାଣ କୃଷକ ସଂଗଠନର ଆବାହକ ତ୍ରିଲୋଚନ ପଣ୍ଡା, ପ୍ରାକ୍ତନ ସରପଞ୍ଚ ଅର୍ଜ୍ଜୁନ ଚରଣ ପଣ୍ଡା, ସମିତି ସଭ୍ୟା ସୁପ୍ରଭା ଦାସ, ଚାଷୀ ଜୟନ୍ତ କୁମାର ଜେନା, ନିଶାକର ଜେନା, ରବିନ୍ଦ୍ର ଜେନା, ଶଶିକାନ୍ତ ଜେନା, ମନୋରଂଜନ ଜେନା, ଚନ୍ଦ୍ରମଣି ରଣା, ଶଶଧର ବାରିକ ଦାବୀ କରିଛନ୍ତି । ସେହିପରି କ୍ଷେତ୍ର ପରିଦର୍ଶନ ଓ ତଦନ୍ତ ବେଳେ ପ୍ରକୃତ କ୍ଷତିଗ୍ରସ୍ତ ମାନଙ୍କୁ ଅଣଦେଖା କରାଯାଇଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ