ବିଶ୍ୱର ସବୁଠୁ ଉଚ୍ଚରେ ଥିବା ହ୍ରଦ
ନେପାଳର ମାନାଙ୍ଗ ଜିଲ୍ଲାରେ ଏବେ ନୂତନ ଭାବେ ସନ୍ଧାନ ମିଳିଥିବା କାଜିନ ସାରା ହ୍ରଦ ବିଶ୍ୱର ଉଚ୍ଚତମ ହ୍ରଦ ବୋଲି କୁହାଯାଉଛି । ଏହା ପୂର୍ବରୁ ସେହି ଜିଲ୍ଲାର ତିଲିଚୋକ ହ୍ରଦ ଉଚ୍ଚତମ ଥିଲା । ୪ କିଲୋମିଟର ଲମ୍ବ, ୧.୨ କିଲୋମିଟର ଚଉଡା ଓ ୨୦୦ ମିଟର ଗଭୀର ତିଲିଚୋକ ହ୍ରଦ ହିମାଳୟର ୪,୯୧୯ ମିଟର ଉଚ୍ଚରେ ଅଛି । ହିମାଳୟାନ ଟାଇମ୍ସର ରିପୋର୍ଟ ଅନୁଯାୟୀ କାଜିନ ସାରା ହ୍ରଦ ୫,୨୦୦ ମିଟର ଉଚ୍ଚରେ ଥିବାରୁ ଏହା ଏବେ ବିଶ୍ୱର ଉଚ୍ଚତମ ହ୍ରଦ । ମାନାଙ୍ଗର ଚାମେ ନଗର ନିଗମର ସିଙ୍ଗାରଖର୍କାରେ ଅବସ୍ଥିତ ଏହିି ହ୍ରଦଟି କିଛି ମାସ ପୂର୍ବରୁ ପର୍ବତାରୋହୀମାନଙ୍କ ଦ୍ୱାରା ଠାବ କରାଯାଇଥିଲା । ଏହାର ଲମ୍ବ ୧,୫୦୦ ମିଟର ଓ ଚଉଡା ୬୦୦ ମିଟର । ହିମାଳୟରୁ ବରଫ ତରଳି ସୃଷ୍ଟି ହୋଇଥିବା ଏହି ହ୍ରଦକୁ ସ୍ଥାନୀୟ ଲୋକମାନେ “ଶିିଙ୍ଗାର’ କହନ୍ତି । ମାନାଙ୍ଗ ଜିଲ୍ଲା ମୁଖ୍ୟାଳୟ ଚାମେଠାରୁ ୨୪ କିଲୋମିଟର ଦୂରରେ ଥିବା ଏହି ହ୍ରଦ ପାଖରେ ପହଞ୍ôଚବା ପାଇଁ ୧୮ ଘଣ୍ଟା ପାହାଡ଼ ଚଢ଼ିବାକୁ ପଡେ । ଜୁଲାଇ ଓ ନଭେମ୍ବର ମାସରେ ହ୍ରଦ ପାଖକୁ ଯିବାର ଉପଯୁକ୍ତ ସମୟ ।


