ବନ୍ତ ବ୍ଲକରେ ୪୨୯ ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା
ବନ୍ତ, (ଚାନ୍ଦିନୀ ମହାନ୍ତି):ରାଜ୍ୟ ସରକାର ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କୃଷକ ମାନଙ୍କ ଉଦ୍ଦେଶ୍ୟରେ କାଳିଆ ଯୋଜନା ପ୍ରଣୟନ କରିଥିଲେ । ଉକ୍ତ ଯୋଜନା ମାଧ୍ୟମରେ ଭୂମିହୀନ, ନାମମାତ୍ର ଓ କ୍ଷୁଦ୍ର ଚାଷୀ ମାନଙ୍କୁ ଚାଷ କାର୍ଯ୍ୟ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରାଯାଇଥିଲା । ବ୍ଲକ ସ୍ତରରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଥିଲା । ମାତ୍ର ବ୍ଲକ ସ୍ତରରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବାଦ ଦିଆଯାଇ ଅଯୋଗ୍ୟ ହିତାଧିକାରୀ ମାନଙ୍କ ଏକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ୫ ହଜାର ଲେଖାଏ ଟଙ୍କା ପଠା ଯାଇଥିଲା । ଏପରିକି ଗୋଟିଏ ପରିବାରର ୨ରୁ ୩ ଜଣ ବ୍ୟକ୍ତିଙ୍କ ନାମରେ ଥିବା ଏକାଉଣ୍ଟକୁ ଟଙ୍କା ଆସିଥିବା ଦେଖାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏହିଭଳି ଅଯୋଗ୍ୟ ହିତାଧିକାରୀଙ୍କ ଏକାଉଣ୍ଟକୁ ଟଙ୍କା ପଠା ଯାଇଥିବାର ଦେଖାଯାଇଥିଲା । ମାତ୍ର ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀ ମାନେ ୫ ହଜାର ଟଙ୍କା ପାଇଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ନାମକୁ ତାଲିକାରୁ ବାଦ କରି ଦିଆଯାଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ଓ ବ୍ଲକ ସ୍ତରରେ ଏଭଳି ପାତର ଅନ୍ତର ନୀତି ଅବଲମ୍ବନ କରାଯାଇଥିବାରୁ ଶତାଧିକ ଯୋଗ୍ୟ ହିତାଧିକାରୀ ମାନେ ଏହି ଯୋଜନାରୁ ବାଦ ପଡିଥିବା ଦେଖାଯାଇଛି । ତେବେ ବନ୍ତ ବ୍ଲକରେ ୪୨୯ ଜଣ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଫେରସ୍ତ କରିବା ନେଇ ଜିଲ୍ଲା କୃଷି ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଥିବା ଜଣାଯାଇଛି । ଏସମସ୍ତ ଅଯୋଗ୍ୟ ହିତାଧିକାରୀ ମାନେ ୧ ମାସ ମଧ୍ୟରେ ନେଇଥିବା ସମସ୍ତ ଅର୍ଥ ସରକାରୀ ତହବିଲ୍ରେ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


