ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ପାଳିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସଦର ମହକୁମାସ୍ଥିତ ପୋଲିସ ପଡିଆଠାରେ ୭୩ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସୁରୁଖୁରୁରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ପ୍ୟାରେଡକୁ ସମ୍ବୋଧନ କରିଥିଲେ । ମାନ୍ୟବର ମନ୍ତ୍ରୀ ତାଙ୍କ ଉଦବୋଧନରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ଦିଗରେ ସରକାର ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିବା ଦର୍ଶାଇ ସରକାର ୫ଟି “ଟି” ଅର୍ଥାତ ସମୟାନୁବର୍ତିତା, ସ୍ୱଚ୍ଛତା, ବୈଷୟିକ ଜ୍ଞାନ, ଦଳଗତ କାର୍ଯ୍ୟ ଏବଂ ରୂପାନ୍ତରଣକୁ ଗୁରୁତ୍ୱ ଦେଇଥିବା ପ୍ରକାଶ କରି ବିଭିନ୍ନ ସରକାରୀ ଯୋଜନାରେ ଲୋକଙ୍କ ହିତ ସାଧନ ଦିଗରେ ସରକାର ବ୍ରତୀ ଥିବା କହିଥିଲେ । ମୁଖ୍ୟ ଅତିଥି ଏହି ଅବସରରେ ବାଲେଶ୍ୱର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମରେ ଥିବା ଉଲ୍ଲେଖନୀୟ ଅବଦାନର ସ୍ମୃତିକୁ ଅବତାରଣ କରି ସେମାନଙ୍କ ଦେଶ ଭକ୍ତି ଏବଂ ଆତ୍ମ ବଳିଦାନ ଏ ଦେଶକୁ ସ୍ୱାଧୀନତା ଆଣିଦେଇଥିବା ସହାୟ ହୋଇଥିବା ଦର୍ଶାଇଥିଲେ । ପରେ ମୁଖ୍ୟ ଅତିଥି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା କୃତୀ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ୨୦୧୯ ମସିହାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ମାଟ୍ରିକ ଛାତ୍ର ଗୌତମ ଦାସ ଓ ଯୁକ୍ତ ଦୁଇ ବିଜ୍ଞାନରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ପ୍ରୀତିଶ ବେହେରା, ଶ୍ରେଷ୍ଠ ଶିକ୍ଷକ ଭାବେ ଶ୍ରୀ ପଦ୍ମଲୋଚନ ପ୍ରଧାନ, ଶ୍ରେଷ୍ଠ ଆଶାକର୍ମୀ ଭାବେ ଅଣୁକା ରାଜ, ଶ୍ରେଷ୍ଠ ପ୍ରାଣୀଧନ ନିରୀକ୍ଷକ ଶ୍ରୀ ହୃଷିକେଶ ପ୍ରଧାନ, ଶ୍ରେଷ୍ଠ ଗ୍ରାମ ସେବକ ଶ୍ରୀ କେଶବ ଚନ୍ଦ୍ର ପ୍ରଧାନ, ଶ୍ରେଷ୍ଠ ପଂଚାୟତ ସଂପ୍ରସାରଣ ଅଧିକାରୀ ଶ୍ରୀ ଅଜୟ କୁମାର ସାହୁ, ଶ୍ରେଷ୍ଠ ଗ୍ରାମ ରୋଜଗାର ସେବକ ସୁଶ୍ରୀ ସୁପର୍ଣ୍ଣା ସବିତା ମହାପାତ୍ର, ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ସୁଶ୍ରୀ ମୋନାଲିସା ଭୋଇ, ଶ୍ରେଷ୍ଠ ରାଜସ୍ୱ ନିରୀକ୍ଷକ ଭାବେ ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଓ ମମତା ରାଜ, ଶ୍ରେଷ୍ଠ ଗୃହରକ୍ଷୀ ଶ୍ରୀ ସହଦେବ ଜେନା, ଶ୍ରେଷ୍ଠ କନେଷ୍ଟବଳ ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି, ଶ୍ରେଷ୍ଠ ପୋଲିସ ସର୍ଜେଂଟ ଶ୍ରୀ ପ୍ରଶାନ୍ତ କୁମାର ରଣସିହଂଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ପ୍ୟାରେଡ୍ରେ ଆର୍ମଡ ରିଜର୍ଭ ପୋଲିସର ଗୋଟିଏ ପ୍ଲାଟୁନ ଓ ପୋଲିସ ବ୍ୟାଣ୍ଡର ଗୋଟିଏ ପ୍ଲାଟୁନ ସହ ସମୁଦାୟ ୫୨ପ୍ଲାଟୁନ ଥିଲେ । ରିଜର୍ଭ ଇନସପେକ୍ଟର ଶ୍ରୀ ଦିଲ୍ଲୀପ ସାମନ୍ତରାୟ ଏହି ପ୍ୟାରେଡର ନେତୃତ୍ୱ ନେଇଥିଲେ । ତାଙ୍କୁ ସହଯୋଗ କରିଥିଲେ ସେକେଣ୍ଡ-ଇନ-କମାଣ୍ଡ ଶ୍ରୀ ରାଜୀବ କୁମାର ମାରାଣ୍ଡି । ପୋଲିସ ଲାଇନ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପରେ ସ୍ଥାନୀୟ ଜିଲ୍ଲା ଡାକ୍ତରଖାନାଠାରେ ମୁଖ୍ୟ ଅତିଥି ରକ୍ତଦାନ ଶିବିରର ଉଦ୍ଘାଟନ ଓ ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । ସେଠାରୁ ହେଣ୍ଡିକେପଡ ୱେଲଫେୟାର ଇନ୍ଷ୍ଟିଚ୍ୟୁଟ ଯାଇ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଗହଣରେ କିଛି ସମୟ ବିତାଇଥିଲେ । କାର୍ଯ୍ୟକ୍ରମର ଅନ୍ତିମରେ ଉକ୍ରଳ ବାଳାଶ୍ରମଠାରେ ୫୦ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ବଂଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି. ଯୁଗଳ କିଶୋର କୁମାର, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅପରାହ୍ନରେ ପରମିଟ୍ ପଡିଆଠାରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ମହିଳାମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ଓ ଜିଲ୍ଲାପାଳ ଏକାଦଶ ବନାମ ନାଗରିକ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚର ଆୟୋଜନ କରାଯାଇଥିଲା । ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧି ସ୍ମୃତି ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତଙ୍କ ତତ୍ୱାବଧାନରେ ସହରର ୭ଟି ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେଇ ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।