ନାଉଗାଁ ବ୍ଳକ ଶିକ୍ଷା ବ୍ୟବସ୍ଥା କାହା ସ୍ୱାର୍ଥରେ ଚାଲିଛି ଶିକ୍ଷକଙ୍କ ଡେପୁଟେସନ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ଶିକ୍ଷାକୁ ସାର୍ବଜନୀନ, ସରସ ଓ ଉନ୍ନତ କରିବା ପାଇଁ ନୂତନ ଶିକ୍ଷା ନୀତି ପ୍ରଚଳନ କରି ଶିକ୍ଷାଧିକାରୀ ଆଇନ ସରକାର ଲାଗୁ କରିଛନ୍ତି । ଏହି ଯୋଜନାକୁ ସଫଳ କରିବା ପାଇଁ ଶିକ୍ଷା ବ୍ୟବସ୍ଥାକୁ ବ୍ଲକ କାର୍ଯ୍ୟାଳୟ ଠାରୁ ଅଲଗା କରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଭାବେ ସ୍ୱତନ୍ତ୍ର ବିଭାଗ ଖୋଲା ଯାଇଛି । ଯାହାଫଳରେ ଶିକ୍ଷା ସମ୍ପର୍କିତ କାର୍ଯ୍ୟକୁ ସଠିକ ଭାବେ ପରିଚାଳନା କରି ହେବ । କିନ୍ତୁ ଉଚ୍ଚ କତୃପକ୍ଷଙ୍କ ଉଦାସୀନତା ଓ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ କେଉଁଠି ନା କେଉଁଠି ଦୁର୍ବଳତା ଯୋଗୁଁ ତୃଣମୂଳ ସ୍ତରରେ ଶିକ୍ଷା ବ୍ୟବସ୍ଥା ରସାତଳ ହେଉଛି । କାରଣ ଶିକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀ ନିଯୁକ୍ତି ନହୋଇ ଭାରାପ୍ରାପ୍ତରେ ଚାଲିଛି । ଫଳରେ କାର୍ଯ୍ୟାଳୟରେ ଥିବା କିରାଣୀଙ୍କ ଇଛା ଅନୁସାରେ କାର୍ଯ୍ୟାଳୟ ଚାଲୁଥିବା ଅଭିଯୋଗ ହେଉଛି । ଏପରି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ । ଏହି ବ୍ଲକର ୧୬ଟି ପଂଚାୟତରେ ଚଳିତ ଶିକ୍ଷାବର୍ଷରେ ୯୩ ଟି ସ୍କୁଲ ଥିବା ବେଳେ ୨୯୮ ଜଣ ଶିକ୍ଷକ ରହିଛନ୍ତି । ଏହି ବ୍ଲକରେ ଦିର୍ଘ ଦିନ ହେବ ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀ ଫାଙ୍କ ଥିବାରୁ ବାଲିକୁଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ୍ୱର ସେଠୀ ଦାୟିତ୍ୱ ରହିଛନ୍ତି । ସେ କାର୍ଯ୍ୟାଳୟକୁ ସପ୍ତାହ ମଧ୍ୟରେ କେବେ ଆସୁଛନ୍ତି ଜଣାନାହିଁ । ଏପରିକି ଏଠାରେ ୩ ଜଣ ଏବିଇଓ ଥିଲେ ମଧ୍ୟ ବିଇଓ ନଥିବାରୁ ନିଜ ମନକୁ ମନ କାର୍ଯ୍ୟ କରୁଛନ୍ତି । କେବଳ ଏତିକି ନୁହେ ବିଇଓଙ୍କ ଅନୁପସ୍ଥିତ ସହିତ ମୁଖ୍ୟ କିରାଣୀ ପଦବୀ ଫାଙ୍କ ଥିବାରୁ କନିଷ୍ଠ କିରାଣୀ ଆଧିପତ୍ୟ ବିସ୍ତାର କରିଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ କାମରେ ଶିକ୍ଷକଙ୍କୁ ବିଇଓଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡୁଛି । ଶିକ୍ଷକମାନେ ଠିକ ସମୟରେ ଉଚିତ ପ୍ରାପ୍ୟ ପାଇବାରୁ ବଂଚିତ ହେଉଛନ୍ତି । ଦରମା, ମଧ୍ୟାହ୍ନ ଭୋଜନ ବିଲ, ୟୁନିଫର୍ମ ବିଲ ପ୍ରଦାନରେ ଘୋର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଅଗଷ୍ଟ ମାସ ଶେଷ ହେବାକୁ ବସିଲାଣୀ ଅଥଚ ଏସସି, ଏସଟି ଓ ଓବିସି ପିଲାଙ୍କୁ ଏକକ ପୋଷାକ ଦିଆଯାଉନାହିଁ । ଫଳରେ ପିଲାମାନେ କିପରି ସ୍କୁଲକୁ ଯିବେ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କାର୍ଯ୍ୟାଳୟରେ ଶିକ୍ଷକମାନଙ୍କୁ ମନମୁଖୀ ଡେପୁଟେସନ କରାଯାଉଥିବା ଅଭିଯୋଗ ହେଉଛି । ତିହୁଡା ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ପ୍ରଜ୍ଞା ପରମ୍ଭିତା ଲେଙ୍କା ଛୁଟିରେ ଯିବାରୁ ଭଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଚିନ୍ତାମଣୀ ରାଉଳଙ୍କୁ ତିହୁଡା ସ୍କୁଲକୁ ଡେପୁଟେସନରେ ଅଣାଯାଇଥିଲା । କିନ୍ତୁ ଛୁଟିରେ ଥିବା ଶିକ୍ଷୟତ୍ରୀ ୪ମାସରୁ ଉର୍ଦ୍ଧ ଦିନ ହେବ କାର୍ଯ୍ୟରେ ଯୋଗଦାନ କରିଥିଲେ ବି ଡେପୁଟେସନରେ ଥିବା ଶିକ୍ଷକ ଚିନ୍ତାମଣୀ ରାଉଳ ମଧ୍ୟ ଉକ୍ତ ସ୍କୁଲ ଛାଡି ନଥିବା ଜଣାଯାଇଛି । ଉକ୍ତ ସ୍କୁଲରେ ୨ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ଏବେ ୩ ଜଣ ଶିକ୍ଷକ କ’ଣ ପାଇଁ ରହିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହପରି ଡେରିକିସ୍ଥିତ ବାଲିଚନ୍ଦ୍ରପୁର ସ୍କୁଲରେ କମ ପିଲା ଥିବାରୁ ଗଂଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା । ଉକ୍ତ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ଶିକ୍ଷକ ବିଭୁତି ଭୂଷଣ ବିଶ୍ୱାଳଙ୍କୁ ଶିଖରଘାଟ ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ଶିକ୍ଷୟତ୍ରୀ ବିନୋଦିନୀ ବାରିକଙ୍କୁ ଗଂଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ଶିକ୍ଷୟତ୍ରୀ ବିନୋଦିନୀ ବାରିକ ଏକ ସପ୍ତାହ ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରିଛନ୍ତି କି ନାହିଁ ଭଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି । ଏଠାରେ ଭଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରରେ ନିଯୁୁକ୍ତ ପାଇଥିବା ଶିକ୍ଷକ ଚିନ୍ତାମଣୀ ରାଉଳଙ୍କୁ ନିଜ ବିଦ୍ୟାଳୟକୁ ଅଣା ନ ଯାଇ କାହା ସ୍ୱାର୍ଥ୍ୟରେ ଗଂଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଦ୍ୟ କାର୍ଯ୍ୟରେ ଯୋଗ ଦେଇଥିବା ଶିକ୍ଷୟତ୍ରୀ ବିନୋଦିନୀ ବାରିକଙ୍କୁ ଡେପୁଟସନରେ ନିଆଯାଉଛି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅପରପକ୍ଷରେ ନନ୍ଦିଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଥିବା ସେଠାରେ ଆବଶ୍ୟକ ଶିକ୍ଷକ ନାହାନ୍ତି । କିନ୍ତୁ ଉକ୍ତ ବିଦ୍ୟାଳୟରୁ ଶିକ୍ଷକ ପ୍ରଦୋଧ କୁମାର ମହାନ୍ତିଙ୍କୁ ଏକରୁଖା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି । ଯାହାକୁ ନେଇ କାହା ସ୍ୱାର୍ଥ୍ୟରେ ଶିକ୍ଷକଙ୍କୁ ଡେପୁଟେସନ କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି । ଏ ସଂର୍ପକରେ ଭାରାପ୍ରାପ୍ତ ବିଇଓଙ୍କର ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନାହିଁ । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କେଉଁ ଆଧାରରେ ଶିକ୍ଷକମାନଙ୍କୁ ଡେପୁଟେସନ କରାଯାଉଛି ତଦନ୍ତ କରାଯାଏ ଏହାର ସଠିକ ତଥ୍ୟ ପ୍ରଦାକୁ ଆସିବ ।


